
ପାଠ୍ୟକ୍ରମରେ ନୀତିଗତ ଶିକ୍ଷା ପ୍ରଚଳନ ପାଇଁ ପୂଜ୍ୟ ପୂଜା ସମିତିର ଆହ୍ଵାନ
ବ୍ରହ୍ମପୁର : ଦେଶପ୍ରେମ ଓ ମାନବ ସେବାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ମୃତ୍ୟୁ ବାର୍ଷିକୀରେ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟପୂଜା ସମିତି ପକ୍ଷରୁ ଆଜି ସ୍ଥାନୀୟ ଗିରିରୋଡ ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଯାଇଛି l ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରିଥିଲାବେଳେ ସମିତି ସମ୍ପାଦକ ଏସ.ସାମ୍ବଶିବା ରାଓ ସ୍ମୃତି ଚାରଣ ସଭାରେ ଅଧ୍ୟକ୍ଷତା କରିଥିଲେ l ସାଂପ୍ରତିକ ପରିସ୍ଥିତିରେ ଦେଶ, ଦେଶର ସମ୍ପତ୍ତି,ବ୍ୟବସ୍ଥା ପରିବର୍ତ୍ତନ ପାଇଁ ରାଜନୀତି ଓ ଦେଶବାସୀଙ୍କ ଅଧିକାର ସଙ୍କଟରେ ପଡିଥିବାବେଳେ ଗୋପବନ୍ଧୁଙ୍କ ତ୍ୟାଗ, ସଂଘର୍ଷ, ସେବା ଓ ରାଜନୀତି ଆମ ମାନଙ୍କ ମନରେ ଦେଶପ୍ରେମର ବହ୍ନି ସୃଷ୍ଟି କରୁଛି ବୋଲି ମଞ୍ଚ ସଭାପତି ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଥିଲେ l ଗୋପବନ୍ଧୁ ତାଙ୍କ ଜୀବନରେ ଅନେକ ଝଡ ଝଂଜା ର ସମ୍ମୁଖୀନ ହୋଇଛନ୍ତି l ଦରିଦ୍ର ଲୋକ ମାନଙ୍କ ସେବାରେ ନିଜକୁ ସଦା ଲୀନ କରିଦେଇଛନ୍ତି l ନିଜ ପରିବାର କଥା ମଧ୍ୟ ଭୁଲିଯାଇ ସେ ଦେଶ ମାତୃକା ସେବାରେ ନିଜ ଜୀବନକୁ ଝାସ ଦେଇଛନ୍ତି l ୧୯୨୮ ଜୁନ୍ ୧୭ ତାରିଖ ସତ୍ୟବାଦୀ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦେହାନ୍ତ ଘଟିଥିଲା l ସେ ବଞ୍ଚିଥିଲେ ମାତ୍ର – ପଚାଶ ବର୍ଷ ଛ ‘ ମାସ ଆଠ ଦିନ l ମଣିଷ ଜୀବନ ଆୟୁଷ ସମ୍ଵନ୍ଧରେ ଗୋପବନ୍ଧୁ ଉଲ୍ଲେଖ କରିଥିଲେ –
” ମଣିଷ ଜୀବନ ନୁହଇ କେବଳ ବର୍ଷ – ମାସ – ଦିନ – ଦଣ୍ଡ
କର୍ମେ ଜିଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ ” ll
ମଣିଷ ପଣିଆ ଓ ସାମାଜିକ ଦାୟିତ୍ୱବୋଧ ର ଶିକ୍ଷା ଅର୍ଜନ ନିମନ୍ତେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଚଳନ୍ତି ପାଠ୍ୟ ଖସଡ଼ା ରେ ନୀତି ଗତ ଶିକ୍ଷାକୁ ସ୍ଥାନ ଦେବାପାଇଁ ସମିତି ପକ୍ଷରୁ ଆହ୍ଵାନ କରଯାଇଛି l ତାଙ୍କ ସ୍ମୃତି ଚାରଣରେ ସମିତିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଉପଦେଷ୍ଟା ଆର୍. ସତ୍ୟ ନାରାୟଣ ରାଓ, ଆଦିତ୍ୟ ନାରାୟଣ ରଥ, ଗୁଣନିଧି ବେହେରା, ବିଜୟ କୁମାର ପାଢ଼ୀ, ଜୟ କୃଷ୍ଣ ନାୟକ, ଅବନୀ ଗୟା ପ୍ରମୁଖ ମତ ବ୍ୟକ୍ତ କରିଥଲେ l ସଭା ଶେଷରେ ସମିତି ସମ୍ପାଦକ ଏସ୍. ଶାମ୍ବସିବା ରାଓ ଧନ୍ୟବାଦ ଜଣାଇଥିଲେ l
