ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତ୍ତେଜନା, ଡାକ୍ତରଙ୍କୁ ମାଡ଼ ଅଭିଯୋଗ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ଅକାଳ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା। ମୃତକଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ଡ୍ୟୁଟିରେ ଥିବା ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଘଟଣାକୁ କେନ୍ଦ୍ର କରି କିଛି ସମୟ ପାଇଁ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ଏମ୍‌.ଭି.-୪୩ ଗ୍ରାମର ବାସିନ୍ଦା ବନ୍ଦନା ମଣ୍ଡଳ ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ସାପ କାମୁଡ଼ିଥିବା ସନ୍ଦେହରେ ପରିବାର ସଦସ୍ୟମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ସିଦ୍ଧାର୍ଥ ଭୋଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରାଥମିକ ଯାଞ୍ଚରେ ମହିଳାଙ୍କ ଅବସ୍ଥା ସାଧାରଣ ଥିବା ଜଣାପଡ଼ିଥିଲା। ତଥାପି ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ହସ୍ପିଟାଲରେ ପର୍ଯ୍ୟବେକ୍ଷଣ ଅଧୀନରେ ରଖିବାକୁ ପରାମର୍ଶ ଦିଆଯାଇଥିଲା।

ମାତ୍ର ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ପରିବାର ଲୋକେ କୌଣସି ସୂଚନା ନଦେଇ ରୋଗୀଙ୍କୁ ଘରକୁ ନେଇ ଯାଇଥିଲେ। ପରଦିନ ସକାଳେ ବନ୍ଦନାଙ୍କ ଶାରୀରିକ ଅବସ୍ଥା ହଠାତ୍ ଖରାପ ହୋଇଯିବାରୁ ପୁଣି ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ଚିକିତ୍ସାଳୟରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଅନ୍ୟପଟେ, ମୃତକଙ୍କ ପରିବାର ସଦସ୍ୟମାନେ ଡାକ୍ତରଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ବନ୍ଦନାଙ୍କୁ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହି ଘରକୁ ଫେରାଇ ଦେଇଥିଲେ। ଯଦି ଠିକ୍ ସମୟରେ ଆବଶ୍ୟକ ଚିକିତ୍ସା ଓ ନିରନ୍ତର ନିରୀକ୍ଷଣ ମିଳିଥାନ୍ତା, ତେବେ ତାଙ୍କ ଜୀବନ ରକ୍ଷା ପାଇପାରୁଥାନ୍ତା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ କ୍ଷୁବ୍ଧ ପରିବାର ଲୋକେ ଡାକ୍ତରଙ୍କ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ସୂଚନା ପାଇ ମାଲକାନଗିରି ପୋଲିସ ତୁରନ୍ତ ହସ୍ପିଟାଲରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା। ପୋଲିସ ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି ଯେ, ଲିଖିତ ଅଭିଯୋଗ ମିଳିବା ପରେ ସମଗ୍ର ଘଟଣାର ନିଷ୍ପକ୍ଷ ତଦନ୍ତ କରାଯିବ ଏବଂ ତଦନ୍ତ ରିପୋର୍ଟ ଆଧାରରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ad-week
Leave A Reply

Your email address will not be published.