ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ୩ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ, କୋର୍ଟ ଚାଲାଣ

add-all

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସ୍ପର୍ଶକାତର ଅଭିଯୋଗ ସାମ୍ନାକୁ ଆସିଛି। ପୋଲିସ ଏହି ମାମଲାରେ ତତ୍ପରତା ପ୍ରକାଶ କରି ଅଭିଯୋଗର ମାତ୍ର ୩ ଘଣ୍ଟା ମଧ୍ୟରେ ତିନିଜଣଯାକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଧରୁଆଡ଼ିହି ଥାନା ଅନ୍ତର୍ଗତ ତାଲସରା ଗ୍ରାମର ଉକ୍ତ ନାବାଳିକା ଜଣକ ନଦୀକୂଳ ନିକଟସ୍ଥ ଏକ ଖୋଲା ପଡ଼ିଆକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ତିନିଜଣ ଯୁବକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଜବରଦସ୍ତ ଟେକି ନେଇ ଜଣ ଜଣ କରି ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ କୌଣସି ମତେ ସେମାନଙ୍କ କବଳରୁ ନିଜ ଜୀବନ ବଞ୍ଚାଇ ଘରକୁ ଫେରିଥିଲେ ଏବଂ ପରିବାର ଲୋକଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ଏହା ଶୁଣିବା ପରେ ପରିବାର ଲୋକେ ତୁରନ୍ତ ନାବାଳିକାଙ୍କୁ ସାଙ୍ଗରେ ଧରି ଧରୁଆଡ଼ିହି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଏସପି ଅମ୍ରିତ ପାଳ କୋର ସ୍ୱୟଂ ପୀଡ଼ିତାଙ୍କ ସହ ଆଲୋଚନା କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏସଡିପିଓ ଏବଂ ନିକଟବର୍ତ୍ତୀ ଥାନାର ପୋଲିସ ଅଧିକାରୀମାନଙ୍କୁ ନେଇ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୋଲିସ ଦଳ ଅତି ଚତୁରତାର ସହ ମାତ୍ର ୩ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଚଢ଼ାଉ କରି ତିନିଜଣଯାକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ବୟସ ଯଥାକ୍ରମେ ୨୩, ୨୪ ଏବଂ ୨୫ ବର୍ଷ ବୋଲି ଜଣାପଡ଼ିଛି।

ଏହି ସମ୍ପର୍କରେ ଧରୁଆଡ଼ିହି ଥାନାରେ ମାମଲା ନମ୍ବର ୧୨୫ ରୁଜୁ କରାଯାଇ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୭୦(୨), ୭୭, ୩୫୧(୨) ଏବଂ ପୋକ୍ସୋ (POCSO) ଆଇନର ଧାରା ୦୬ ଅନୁଯାୟୀ ମାମଲା ପଞ୍ଜୀକୃତ କରାଯାଇଛି। ପୀଡ଼ିତା ଓ ଅଭିଯୁକ୍ତମାନଙ୍କର ଡାକ୍ତରୀ ମାଇନା କରାଯିବା ପରେ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.