ଫୁଟାନଡା ମନ୍ଦିରାପାରାରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅନେକ ଯୋଗ୍ୟ ହିତାଧିକାରୀ: ପ୍ରଶାସନ ବିରୋଧରେ ଅସନ୍ତୋଷ

add-all

ଉମରକୋଟ : ଉମରକୋଟ ଓ ରାଇଘର ଅଞ୍ଚଳରୁ ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ପକ୍ଷରୁ ବୃଦ୍ଧ–ବୃଦ୍ଧାମାନଙ୍କ ଜୀବନଧାରଣକୁ ସହାୟତା ଯୋଗାଇବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ଯୋଜନା କାର୍ଯ୍ୟକରୀ ହେଉଥିବା ବେଳେ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତର ଫୁଟାନଡା ଗ୍ରାମର ମନ୍ଦିରାପାରାରେ ଦେଖିବାକୁ ମିଳିଛି। ଏହି ଗ୍ରାମର ବଳରାମ ହରିଜନ (୬୦), କବଲ ହରିଜନ (୭୦) ଓ ଦ୍ରୌପଦୀ ବିନ୍ଧାଣୀ (୬୮) ଙ୍କ ଭଳି ଅନେକ ଯୋଗ୍ୟ ବୃଦ୍ଧ–ବୃଦ୍ଧା ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ହିତାଧିକାରୀମାନେ ଭତ୍ତା ପାଇବା ପାଇଁ ଅନେକ ଥର ହଳଦୀ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।

ରାଇଘର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ଅନେକ ଗରିବ ଓ ଅସହାୟ ଲୋକ ସରକାରୀ ଭତ୍ତାରୁ ବଞ୍ଚିତ ହୋଇ ଦୁଃଖଦାୟକ ଜୀବନ ଯାପନ କରୁଥିବା ଅଭିଯୋଗ ହେଉଛି। କେବଳ ସରକାରଙ୍କ ପକ୍ଷରୁ ମିଳୁଥିବା ମାଗଣା ଚାଉଳ ଉପରେ ନିର୍ଭର କରି ଜୀବନ ନିର୍ବାହ କରିବା ଆଜିର ସମୟରେ ବେଶ୍ କଷ୍ଟକର ହୋଇପଡୁଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଛନ୍ତି। ବିଶେଷ କରି ଦୂର୍ଗମ ଅଞ୍ଚଳରେ ରହୁଥିବା ଏହି ଅସହାୟ ବୃଦ୍ଧବୃଦ୍ଧାମାନଙ୍କ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଭତ୍ତା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଜୋରଦାର ଦାବି କରିଛନ୍ତି।

ad-week
Leave A Reply

Your email address will not be published.