
ଉମରକୋଟ/ରାଇଘର, : ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ବଡ଼ ଧରପକଡ଼ କରାଯାଇଛି। ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ (CDVO) କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ପଶୁସମ୍ପଦ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାର (ପିତା–ବିଶ୍ୱନାଥ ହାଲଦାର)ଙ୍କୁ ୮୦ ହଜାର ଟଙ୍କା ଘୁଷ ନେଉଥିବା ବେଳେ ଭିଜିଲାନ୍ସ ହାତେନାତ ଗିରଫ କରିଛି। ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ରାଶି ମୁକ୍ତ କରିବା ପାଇଁ ସମ୍ପୃକ୍ତ ହିତାଧିକାରୀଙ୍କଠାରୁ ସେ ୮୦ ହଜାର ଟଙ୍କା ଘୁଷ ଦାବି କରିଥିଲେ। ଏହି ଯୋଜନା ଦୁଗ୍ଧ ଚାଷୀମାନଙ୍କୁ ସହାୟତା କରିବା ସହ ୧ରୁ ୫ଟି ଗାଈ ବିଶିଷ୍ଟ ଦୁଗ୍ଧ ଉତ୍ପାଦନ ୟୁନିଟ୍ ସ୍ଥାପନରେ ସହଯୋଗ କରିଥାଏ। ଅଭିଯୋଗ ଅନୁସାରେ, ହିତାଧିକାରୀ ଜଣକ ଯୋଜନା ପାଇଁ ଚୟନିତ ହୋଇଥିବା ସତ୍ତ୍ୱେ ଅଭିଯୁକ୍ତ ଅଧିକାରୀ ସବସିଡି ରାଶି ମୁକ୍ତ କରିବା ପାଇଁ ଘୁଷ ଦାବି କରିବା ସହ ଟଙ୍କା ନ ଦେଲେ ଅନ୍ୟ ହିତାଧିକାରୀଙ୍କ ସବସିଡି ମଧ୍ୟ ଅଟକାଇ ଦେବାକୁ ଧମକ ଦେଇଥିଲେ। ଏହା ପରେ

ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଶରଣାପନ୍ନ ହୋଇଥିଲେ। ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ପ୍ରଫୁଲ୍ଲ ହାଲଦାରଙ୍କୁ ଅଭିଯୋଗକାରୀଙ୍କଠାରୁ ୮୦ ହଜାର ଟଙ୍କା ନେଉଥିବା ବେଳେ ଧରିଥିଲେ। ତାଙ୍କ ପାଖରୁ ସମ୍ପୂର୍ଣ୍ଣ ଘୁଷ ରାଶି ଜବତ କରାଯାଇଛି। ଏହା ପରେ ରାଇଘର ପତ୍ରକୁଟିରରେ ଥିବା ତାଙ୍କ ଦୁଇ ମହଲା ବାସଭବନ ସମେତ ସମ୍ପୃକ୍ତ ସ୍ଥାନଗୁଡ଼ିକରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟଠାରୁ ଅଧିକ ସମ୍ପତ୍ତି (DA) ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ବହୁ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନା ମାମଲା ନଂ–୧୩/୨୦୨୬, ଧାରା–୭, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ–୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
(ଉମରକୋଟରୁ – ରସିକ ସରକାର)
