
ବିରମିତ୍ରପୁର, (ନିସର୍ତ୍ତ ନ୍ୟୁଜ) : ବିରମିତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ସମସ୍ୟାର ସମାଧାନ ଦାବି ନେଇ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ମଣ୍ଡଳ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ସ୍ଥାନୀୟ ବିଧାୟକ ରୋହିତ ଯୋସେଫ ତିର୍କୀ। ଏହି ପରିପ୍ରେକ୍ଷୀରେ ସେ ଚକ୍ରଧରପୁର ରେଳ ଡିଭିଜନର ଡିଆରଏମଙ୍କୁ (DRM) ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଅଞ୍ଚଳର ବିଭିନ୍ନ ଜନସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି।
ବିଧାୟକ ଓ ଡିଆରଏମଙ୍କ ମଧ୍ୟରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିଶେଷ କରି: ନୂଆଗାଁଠାରେ ଆର.ଓ.ବି (ROB) ନିର୍ମାଣ, କୁକୁଡାଠାରେ ଆର.ୟୁ.ବି (RUB) ସମସ୍ୟାର ସମାଧାନ, ସୁବୋଧ ରାଉତରାୟ କଲେଜ ଏବଂ ଗୁଡଗୁଡଜୋର ଅଞ୍ଚଳରେ ରହିଥିବା ବିଦ୍ୟୁତ ସମସ୍ୟା, ପୁରୁଣା ବିସ୍ରା ଅଣ୍ଡରପାସ୍ର ଆଧୁନିକୀକରଣ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରେନର ରହଣି (ଷ୍ଟପେଜ୍) ଏବଂ ଯାତ୍ରୀ ସୁବିଧାର ଉନ୍ନତିକରଣ ଆଦି ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରେଳ ପ୍ରଶାସନ ପକ୍ଷରୁ ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଧାୟକ ଅନୁରୋଧ କରିଛନ୍ତି।
ଏହି ଆଲୋଚନା ସମୟରେ ବିଧାୟକଙ୍କ ସହ ତାଙ୍କ ପ୍ରତିନିଧି ଶଶି ସାଗର, ବିଜେଡି ନଗର ସଭାପତି କୁନା ଦେଓ, ଛାତ୍ର ନେତା ମହମ୍ମଦ ଏଜାଜ୍ ଆଲାମ୍, ଯୁବ ନେତା ପ୍ରମୋଦ ବୁଡା, ରବି ସିଂହ ଏବଂ ମଶାହିଦ୍ ରଜା ପ୍ରମୁଖ ଉପସ୍ଥିତ ଥିଲେ। ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ନେଇ ବିଧାୟକଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଜନସାଧାରଣ ସ୍ବାଗତ କରିଛନ୍ତି।
