ବ୍ରହ୍ମପୁର ଉପକଣ୍ଠରେ କଙ୍ଗାରୁ କୋର୍ଟ: ୧୦ରୁ ଉର୍ଦ୍ଧ୍ୱ ପରିବାର ସାମାଜିକ ବାସନ୍ଦ, ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ବେଆଇନ କଙ୍ଗାରୁ କୋର୍ଟର ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଏକ ବେନାମୀ ସଂଘ ଗଠନ କରି ଜୋରଜବରଦସ୍ତ ଅର୍ଥ ଆଦାୟ କରୁଥିବା ବେଳେ, ଦାବି ମୁତାବକ ଟଙ୍କା ନଦେଲେ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ପ୍ରଶାସନ ଓ ପୋଲିସ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ରୁ ଉର୍ଦ୍ଧ୍ୱ ପରିବାର ଏହି ବାସନ୍ଦର ଶିକାର ହୋଇ ନାହିଁ ନଥିବା ନିର୍ଯାତନା ଭୋଗୁଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗତ ୨୦୨୫ ସେପ୍ଟେମ୍ବର ୯ ତାରିଖରେ ଗ୍ରାମର ଭି. ଚନ୍ଦ୍ରେୟା ରେଡି, ଆର. ଶଙ୍କର ରେଡି, କେ. ପାପେୟା ରେଡି, ବି. ହେମନ୍ତ ରେଡି, କେ. ରାଜେୟା ରେଡି, ଏନ. ଗଣେଶ ରେଡି ଓ କେ. ପଦ୍ମା ରେଡିଙ୍କ ସମେତ ଅନ୍ୟ କିଛି ଲୋକ ମିଶି ଗ୍ରାମରେ ଏକ କଙ୍ଗାରୁ କୋର୍ଟ ବସାଇଥିଲେ। ସେଠାରେ ସେମାନେ ସେହି ଗ୍ରାମର ଏନ୍. ରାମମୂର୍ତ୍ତି ରେଡିଙ୍କୁ ଏକ ଲକ୍ଷ ଟଙ୍କାର ଜରିମାନା କରିଥିଲେ। ଏହି ଜରିମାନା ଟଙ୍କା ନଦେଲେ ତାଙ୍କୁ ସାମାଜିକ ବାସନ୍ଦ କରାଯିବ ବୋଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ଜରିଆରେ ଧମକ ଦିଆଯାଇଥିଲା। ଏ ନେଇ ରାମମୂର୍ତ୍ତିଙ୍କ ସ୍ତ୍ରୀ ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ହେଁ ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏପରିକି ପୀଡ଼ିତ ପରିବାର ବ୍ରହ୍ମପୁର ଏସପିଙ୍କୁ ଭେଟି ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଅଭିଯୋଗ ଅନୁଯାୟୀ, ଗ୍ରାମରେ ଏହି ବେନାମୀ ସଂଘର ଗୁଣ୍ଡାରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯେଉଁମାନେ ରାମମୂର୍ତ୍ତିଙ୍କ ପରିବାର ସହ କଥାବାର୍ତ୍ତା କରୁଛନ୍ତି, ସେମାନଙ୍କୁ ମଧ୍ୟ କଙ୍ଗାରୁ କୋର୍ଟ ମାଧ୍ୟମରେ ଜରିମାନା ପକାଇ ସାମାଜିକ ବାସନ୍ଦ କରାଯାଉଛି। ତତ୍କାଳୀନ ଥାନା ଅଧିକାରୀଙ୍କୁ ହାତବାରିସି କରି ଏହି ଅସାମାଜିକ ଲୋକମାନେ ନିଜର ସାମ୍ରାଜ୍ୟ ଚଳାଇଛନ୍ତି ବୋଲି ଭୟଭୀତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ବାସନ୍ଦ ଯୋଗୁଁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ଯେକୌଣସି ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି। ନ୍ୟାୟ ନମିଳିବା ପରେ ଆଜି ବ୍ରହ୍ମପୁର ଏନଜିଓ ହଲ୍ ଠାରେ ସାମାଜିକ ବାସନ୍ଦର ଶିକାର ହୋଇଥିବା ପରିବାରବର୍ଗ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ବେଆଇନ କଙ୍ଗାରୁ କୋର୍ଟ ଚଳାଉଥିବା ଏବଂ ଲୋକଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବାକୁ ପୀଡ଼ିତ ପରିବାର ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ କାକୁତିମିନତି ହୋଇ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.