
ଉମରକୋଟ/ରାଇଘର : “ଚାଷ କାମ ଯାହାର, କେତେ ଆନନ୍ଦ ତାହାର” – ଏହି କଥାଟି ଗ୍ରାମୀଣ ଜୀବନ ଓ କୃଷକଙ୍କ ପରିଶ୍ରମର ସଠିକ୍ ଚିତ୍ରକୁ ପ୍ରତିଫଳିତ କରିଥାଏ। କିନ୍ତୁ ଏବେ ସେହି ଆନନ୍ଦ ଧୀରେ ଧୀରେ ନିରାଶାରେ ପରିଣତ ହେଉଥିବା ଦେଖାଯାଉଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ବ୍ଲକ ଅଞ୍ଚଳରେ ସାର ଅଭାବ ଚାଷୀମାନଙ୍କ ପାଇଁ ଏକ ଗୁରୁତର ସମସ୍ୟା ହୋଇ ଉଭା ହୋଇଛି। ଫଳରେ ଅନେକ ଚାଷୀ ପାରମ୍ପରିକ ଚାଷ ପ୍ରତି ଆଗ୍ରହ ହରାଇ ଶହ ଶହ ଏକର ଜମିରେ ନୀଳଗିରି ଚାଷ ଆରମ୍ଭ କରିଥିବା ଜଣାପଡ଼ିଛି।
ଚାଷୀକୁ ଦେଶର ମେରୁଦଣ୍ଡ ବୋଲି କୁହାଯାଏ। କାରଣ ଚାଷୀଙ୍କ ପରିଶ୍ରମ ଉପରେ ଦେଶର ଖାଦ୍ୟ ବ୍ୟବସ୍ଥା ନିର୍ଭର କରିଥାଏ। କିନ୍ତୁ ଯଦି ସେହି ଚାଷୀ ନିଜ ମୌଳିକ ଆବଶ୍ୟକତା ମେଣ୍ଟାଇ ପାରିବେ ନାହିଁ, ତେବେ କୃଷି ବ୍ୟବସ୍ଥା ଓ ଗ୍ରାମୀଣ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି ବୁଦ୍ଧିଜୀବୀ ଓ କୃଷି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।
ସୂଚନା ଅନୁଯାୟୀ, ଉମରକୋଟ ଓ ରାଇଘର ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀମାନେ ଧାନ, ମକ୍କା, ପନିପରିବା, ହରଡ଼, ମୁଗ, ବିରି, କଳଥ, ବାଦାମ ସହିତ ଅନ୍ୟାନ୍ୟ ଫସଲ ଚାଷ କରି ନିଜ ପରିବାରର ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ଚାଷ ପାଇଁ ଆବଶ୍ୟକୀୟ ସାର ନ ମିଳିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନେକ ଚାଷୀ କହିଛନ୍ତି ଯେ, ସମୟରେ ସାର ଯୋଗାଣ ନ ହେବାରୁ ଚାଷ କାମ ଆରମ୍ଭ କରିବା କଷ୍ଟସାଧ୍ୟ ହୋଇପଡ଼ିଛି।
ଚାଷୀମାନଙ୍କ କହିବା ଅନୁସାରେ, ପ୍ରତିବର୍ଷ ଚାଷ ସମୟରେ ସାର ଅଭାବ ଦେଖାଯାଉଛି। ଏଥିପାଇଁ ଚାଷୀମାନେ ସାର ପାଇଁ ବିଭିନ୍ନ ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ଆଗରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ତଥାପି ଆବଶ୍ୟକ ପରିମାଣର ସାର ମିଳୁନାହିଁ। ଏପରି ସ୍ଥିତିରେ ଚାଷୀମାନେ ଚାଷ କାମ ପ୍ରତି ଆଗ୍ରହ ହରାଇବା ସହ ନିଜ ପରିବାରର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।
ବିଶେଷକରି ଯେଉଁ ପରିବାରଗୁଡ଼ିକ ବର୍ଷ ବର୍ଷ ଧରି ଜଙ୍ଗଳ ଜମି ଉପରେ ନିର୍ଭର କରି ଚାଷ କରି ଆସୁଛନ୍ତି, ସେମାନଙ୍କ ଅବସ୍ଥା ଅଧିକ ସଙ୍କଟପୂର୍ଣ୍ଣ ହୋଇପଡ଼ିଛି। ଅନେକଙ୍କ ପାଖରେ ଜମିର ପଟ୍ଟା ନଥିବାରୁ ସରକାରୀ ସୁବିଧା ଓ ସାର ଯୋଗାଣରୁ ସେମାନେ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ପଟ୍ଟା ଥିବା ଚାଷୀମାନଙ୍କୁ ମଧ୍ୟ ଆବଶ୍ୟକ ପରିମାଣ ଅନୁସାରେ ସାର ମିଳୁନଥିବା ଅଭିଯୋଗ ହୋଇଛି

ଏହି ସମସ୍ୟାର ବିକଳ୍ପ ଭାବେ ବର୍ତ୍ତମାନ ଅନେକ ଚାଷୀ ଜମିରେ ନୀଳଗିରି ଚାଷ କରିବାକୁ ଆଗ୍ରହ ଦେଖାଉଛନ୍ତି। କାରଣ ନୀଳଗିରି ଚାଷରେ ବାରମ୍ବାର ସାର ପ୍ରୟୋଗ ଓ ଅଧିକ ଶ୍ରମର ଆବଶ୍ୟକତା କମ ରହିଥାଏ। କିନ୍ତୁ କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ, ବହୁ ପରିମାଣରେ ନୀଳଗିରି ଚାଷ ବଢ଼ିଲେ ଭବିଷ୍ୟତରେ ଖାଦ୍ୟ ଉତ୍ପାଦନ ଉପରେ ଏହାର ପ୍ରଭାବ ପଡ଼ିପାରେ।
ସ୍ଥାନୀୟ ଚାଷୀମାନେ ସରକାରଙ୍କୁ ତୁରନ୍ତ ଆବଶ୍ୟକ ପରିମାଣର ସାର ଯୋଗାଣ କରିବା ସହ ଜମି ପଟ୍ଟା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଅଧିକ ସଂଖ୍ୟକ ଚାଷୀ ପାରମ୍ପରିକ ଚାଷ ଛାଡ଼ି ଅନ୍ୟ ବିକଳ୍ପ ପଥ ଆପଣାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
