
ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡ ଅନ୍ତର୍ଗତ ୫ଟି ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା— ସାନଖେମୁଣ୍ଡି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଏବଂ ଚିକିଟି ପାଇଁ ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂପୃକ୍ତ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ (ERO) ମାନଙ୍କ ଦ୍ଵାରା ଏହି ତାଲିକା ଉନ୍ମୋଚିତ ହୋଇଛି। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ସୋସିଆଲ ମିଡିଆ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
ଉପ ଜିଲ୍ଲାପାଳ ଅବିନାଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏ.ଡି.ଏମ୍ ସୁନିଲ୍ କୁମାର କେର୍କେଟା, ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ଅତିରିକ୍ତ ଉପ ଜିଲ୍ଲାପାଳ ରୀନା କୁମାରୀ ନାଏକ, ଡ଼େପୁଟି କଲେକ୍ଟର ଅଲେଖ ରଞ୍ଜନ ମହାଙ୍କୁଡ଼ ଓ ସୁବ୍ରତ ଶତପଥି, ଏବଂ ତହସିଲଦାର ରାକେଶ କୁମାର ପରିଡ଼ାଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଉପ ଜିଲ୍ଲାପାଳ ଚିଠା ଭୋଟର ତାଲିକା ପ୍ରକାଶନକୁ ଏସ୍.ଆଇ.ଆର୍ (SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭାବେ ଅଭିହିତ କରିଥିଲେ। ଏକ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ତାଲିକାରେ ରହିଯାଇଥିବା ତ୍ରୁଟି ସଂଶୋଧନ, ନୂତନ ଓ ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି ସହ ମୃତ, ନକଲି ଏବଂ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଥିବା ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏହି ସଂଶୋଧନ ଓ ଆବେଦନ ପ୍ରକ୍ରିୟା ଆଗାମୀ ଅଗଷ୍ଟ ମାସ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରି ଉପ ଜିଲ୍ଲାପାଳ କହିଛନ୍ତି ଯେ, ଦଳୀୟ ପ୍ରତିନିଧିମାନେ ବୁଥ୍ ସ୍ତରୀୟ ତର୍ଜମା କରି ଏ ଦିଗରେ ସଂପୃକ୍ତ ବି.ଏଲ୍.ଓ (BLO) ମାନଙ୍କ ସହାୟତା ନେଇପାରିବେ। କାର୍ଯ୍ୟକ୍ରମ ଶେଷରେ ରାଜନୈତିକ ପ୍ରତିନିଧିଙ୍କ ଦ୍ୱାରା ଉତ୍ଥାପିତ ବିଭିନ୍ନ ପ୍ରଶ୍ନ ଓ ସନ୍ଦେହର ଉତ୍ତର ଦିଆଯାଇଥିଲା। ଏଥିସହ ଆଗତ ଅଭିଯୋଗଗୁଡିକର ତତ୍କାଳ ସମାଧାନ ପାଇଁ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରୟାସ କରାଯିବ ବୋଲି ଉପ ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି।
