କୋରାପୁଟରେ ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ବାଦ୍ ପଡ଼ିଲେ ୬୨ ହଜାରରୁ ଊର୍ଦ୍ଧ୍ୱ ଅଯୋଗ୍ୟ ଭୋଟର

add-all

କୋରାପୁଟ : ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଅନ୍ତର୍ଗତ କୋରାପୁଟ ଜିଲ୍ଲାର ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ତାଲିକା ଉନ୍ମୋଚିତ ହୋଇଛି। ଏହି ଅବସରରେ କୋରାପୁଟ ବିଧାନସଭା ବିଧାୟକ, ବିଭିନ୍ନ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଭାବେ ପୂର୍ବତନ ସାଂସଦ ଓ ବିଧାୟକଗଣ, ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ଦଳର ଜିଲ୍ଲା ସଭାପତି, ସମ୍ପାଦକ ଏବଂ ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଓ ଉପଜିଲ୍ଲାପାଳ (ନିର୍ବାଚନ) ପ୍ରମୁଖ ଉପସ୍ଥିତ ଥିଲେ। ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ପ୍ରକାଶିତ ଏହି ଚିଠା ଭୋଟର ତାଲିକା ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛ ଓ ସଠିକ୍ ଭୋଟର ସୂଚୀ ପ୍ରସ୍ତୁତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏହି ସଂଶୋଧନ ପ୍ରକ୍ରିୟାରେ ଜିଲ୍ଲାର ସମୁଦାୟ ୯,୬୬,୪୨୪ ଜଣ ଭୋଟରଙ୍କ ମଧ୍ୟରୁ ବିସ୍ତୃତ ଯାଞ୍ଚ ପରେ ୬୨,୨୯୦ ଜଣ ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି। ଅନୁପସ୍ଥିତ, ସ୍ଥାନାନ୍ତରିତ, ଦ୍ୱୈତ ନାମ ଏବଂ ମୃତ ଆଦି କାରଣରୁ ଏହି ବିଲୋପ କରାଯାଇଛି। ଫଳସ୍ୱରୂପ, ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶିତ ଏହି ନୂତନ ଚିଠା ତାଲିକାରେ ବର୍ତ୍ତମାନ ମୋଟ ଭୋଟର ସଂଖ୍ୟା ୯,୦୪,୧୩୪ ରେ ପହଞ୍ଚିଛି। ପୂର୍ବରୁ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନଙ୍କ ଦ୍ୱାରା ଘରକୁ ଘର ଯାଇ ଏହି ଯାଞ୍ଚ କରାଯାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ। ବର୍ତ୍ତମାନ ଏହି ତାଲିକା ସାଧାରଣ ଜନତାଙ୍କ ଅବଲୋକନ ପାଇଁ ସମସ୍ତ ERO, AERO କାର୍ଯ୍ୟାଳୟ, ମତଦାନ କେନ୍ଦ୍ର ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଓଡ଼ିଶାଙ୍କ ୱେବସାଇଟ୍‌ରେ ଉପଲବ୍ଧ କରାଯାଇଛି।
ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜିଠାରୁ ଆଗାମୀ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। ଗୃହ ପରିଦର୍ଶନ ସମୟରେ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିଯାଇଥାଏ, ତେବେ ସେମାନେ ଏହି ଅବଧି ମଧ୍ୟରେ ନିଜ ନାମ ସାମିଲ କରାଇପାରିବେ। ଏଥିସହ ନାମ ସଂଶୋଧନ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ ପାଇଁ ମଧ୍ୟ ଜନସାଧାରଣ ସମ୍ପୃକ୍ତ ERO କିମ୍ବା AERO (ବିଡିଓ/ତହସିଲଦାର/କାର୍ଯ୍ୟନିର୍ବାହୀ ଅଧିକାରୀ)ଙ୍କ ନିକଟରେ ଆବେଦନ କରିପାରିବେ। “କୌଣସି ଯୋଗ୍ୟ ଭୋଟର ଯେପରି ବାଦ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ସାମିଲ ନହୁଏ”, ସେଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଯଦି କୌଣସି ଆବେଦନକାରୀ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି, ତେବେ ସେମାନେ ପ୍ରଥମ ଅପିଲ୍ ଜିଲ୍ଲାପାଳଙ୍କ ନିକଟରେ ଓ ଦ୍ୱିତୀୟ ଅପିଲ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କରିପାରିବେ। ସାଧାରଣ ଲୋକଙ୍କ ସହାୟତା ତଥା ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ସହାୟତା କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଉପଜିଲ୍ଲାପାଳ (ନିର୍ବାଚନ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.