ମାଲକାନଗିରି ଜିଲ୍ଲା ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶିତ

add-all

ମାଲକାନଗିରି : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏସଆଇଆର୍ ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶନ କରାଯାଇ ବିଭିନ୍ନ ରାଜନୈତିକ ଦଳକୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ଚାଲୁ ରହିଥିବା ଏସଆଇଆର ପ୍ରକ୍ରିୟା ସହ ଗତ ୩୦.୦୫.୨୦୨୬ ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଘରକୁ ଘର ବୁଲି ଗଣନା ପର୍ଯ୍ୟାୟର ସଂଗୃହିତ ତଥ୍ୟ ସମ୍ପର୍କରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ଏହି ଗଣନା ପ୍ରକ୍ରିୟାରେ ଜିଲ୍ଲାର ସମୁଦାୟ ୪,୬୨,୧୭୧ ଭୋଟରଙ୍କ ମଧ୍ୟରୁ ୮୯.୭୫ ପ୍ରତିଶତ ଅର୍ଥାତ୍ ୪,୧୪,୮୧୬ ଜଣ ଭୋଟର ସଫଳତାର ସହ ନିଜର ଫର୍ମ ଦାଖଲ କରିଛନ୍ତି। ଏହାସହିତ ସର୍ଭେ ସମୟରେ ଜିଲ୍ଲାରେ ୨୫,୮୪୯ ଜଣ (୫.୫୯%) ମୃତ ଭୋଟର, ୧୨,୩୧୮ ଜଣ (୨.୬୭%) ସ୍ଥାନାନ୍ତରିତ ଭୋଟର, ୫,୩୦୮ ଜଣ (୧.୧୫%) ଏକାଧିକ ସ୍ଥାନରେ ନାମ ଲେଖାଇଥିବା ଭୋଟର ଏବଂ ୩,୭୫୨ ଜଣ (୦.୮୧%) ଅନୁପସ୍ଥିତ ଭୋଟର ଚିହ୍ନଟ ହୋଇଥିବା ବେଳେ ଅନ୍ୟାନ୍ୟ ବର୍ଗରେ ୧୨୮ ଜଣ (୦.୦୩%) ଭୋଟର ରହିଛନ୍ତି। କେତେକ ବ୍ୟକ୍ତି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହୋଇଯାଇଥିବାରୁ, ପ୍ରକୃତ ଅସ୍ତିତ୍ୱ ମିଳିନଥିବାରୁ କିମ୍ବା ଧାର୍ଯ୍ୟ ସମୟ ମଧ୍ୟରେ ଫର୍ମ ଦାଖଲ ନକରିଥିବାରୁ ବି.ଏଲ୍.ଓ. ମାନଙ୍କ ଦ୍ୱାରା ସେମାନଙ୍କ ଫର୍ମ ଫେରସ୍ତ ହୋଇପାରି ନାହିଁ।

ଜିଲ୍ଲାପାଳ ଶ୍ରୀ ରାଜଶିର୍କେ ଏହି ସଂଶୋଧନ ପ୍ରକ୍ରିୟାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯାହା ହେଉଛି ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରି ତାଲିକାରୁ ସମସ୍ତ ଅଯୋଗ୍ୟ, ମୃତ ଓ ଏକାଧିକ ସ୍ଥାନରେ ଥିବା ନାମଗୁଡ଼ିକୁ ବାଦ୍ ଦେବା। ଏହି ବ୍ୟାପକ ପ୍ରକ୍ରିୟାକୁ ସଫଳ କରିବା ପାଇଁ ଜିଲ୍ଲାର ୦୨ ଜଣ ଇଆରଓ , ୨୦ ଜଣ ଏଇଆରଓ , ୫୪ ଜଣ ବିଏଲଓ ସୁପରଭାଇଜର, ୬୬୬ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ୧,୭୧୦ ଜଣ ବୁଥ୍ ସ୍ତରୀୟ ଏଜେଣ୍ଟ ନିରନ୍ତର କାର୍ଯ୍ୟ କରୁଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି, ସେଥିପାଇଁ ଜିଲ୍ଲା ସ୍ଵିପ୍ ନୋଡାଲ ଅଫିସରଙ୍କ ସହ ମିଶି ବ୍ୟାପକ ସଚେତନତା ଜାରି ରହିଛି।

ଯଦି ସମ୍ପ୍ରତି ୦୫.୦୭.୨୦୨୬ ରେ ପ୍ରକାଶିତ ଚିଠା ଭୋଟର ତାଲିକାରେ କାହାର ନାମ ନାହିଁ, ତେବେ ସେମାନେ ଆଦୌ ବ୍ୟସ୍ତ ନହୋଇ ଘୋଷଣାନାମା ଫର୍ମ ସହ ଫର୍ମ-୬ ପୂରଣ କରି ନୂତନ ଭୋଟର ଭାବେ ଆବେଦନ କରିପାରିବେ। ଏହାଛଡ଼ା ପ୍ରବାସୀ ଭାରତୀୟଙ୍କ ପାଇଁ ଫର୍ମ ୬ଏ, ନାମ ବାଦ୍ ଦେବା କିମ୍ବା ଆପତ୍ତି ପାଇଁ ଫର୍ମ ୭ ଏବଂ ସଂଶୋଧନ କିମ୍ବା ବାସସ୍ଥାନ ସ୍ଥାନାନ୍ତର ପାଇଁ ଫର୍ମ ୮ ଉପଲବ୍ଧ ରହିଛି। ନାଗରିକମାନେ ନିଜର ସ୍ଥାନୀୟ ବିଏଲଓଙ୍କ ନିକଟରେ କିମ୍ବା ଅନଲାଇନରେ ଭୋଟର ହେଲ୍ପଲାଇନ୍ ଆପ୍ ଏବଂ voters.eci.gov.in ୱେବସାଇଟ୍ ମାଧ୍ୟମରେ ଫର୍ମ ଦାଖଲ କରିପାରିବେ। ଯେଉଁ ଯୁବ ନାଗରିକମାନେ ୦୧.୦୭.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ହାସଲ କରିଛନ୍ତି ବା କରିବେ, ସେମାନଙ୍କ ନାମ ପଞ୍ଜୀକରଣ ପାଇଁ ଜିଲ୍ଲା ସାରା ସ୍ୱତନ୍ତ୍ର ଶିବିରମାନ ଆୟୋଜନ କରାଯିବ। ଚିଠା ଭୋଟର ତାଲିକା ସିଇଓଙ୍କ ୱେବସାଇଟ୍ ରେ ଉପଲବ୍ଧ ଅଛି। ନାଗରିକମାନେ ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ମଧ୍ୟରେ ନିଜର ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। ୦୨ ଜଣ ଇଆରଓ ଏବଂ ୨୦ ଜଣ ଏଆଇଆରଓ ୦୨.୦୯.୨୦୨୬ ସୁଦ୍ଧା ଏହି ସମସ୍ତ ମାମଲାର ଯାଞ୍ଚ ଓ ସମାଧାନ କରିବେ।

ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ ଏସଆଇଆର ନିର୍ଦ୍ଦେଶାବଳୀର ପାରା ୫(ବି) ଅନୁଯାୟୀ, ଉପଯୁକ୍ତ ନୋଟିସ୍ ଏବଂ ନିର୍ଦ୍ଦିଷ୍ଟ ଆଦେଶ ବିନା କୌଣସି ବି ଭୋଟରଙ୍କ ନାମ ବାଦ୍ ଦିଆଯାଇପାରିବ ନାହିଁ। ଯଦି କୌଣସି ବ୍ୟକ୍ତି ଏହାଦ୍ୱାରା ପ୍ରଭାବିତ ହୁଅନ୍ତି, ତେବେ ସେ ପ୍ରଥମେ ଜିଲ୍ଲାପାଳଙ୍କ ନିକଟରେ ଏବଂ ପରେ ଆରପି ଆକ୍ଟ, ୧୯୫୦ ର ଧାରା ୨୪ ଅଧୀନରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅପିଲ୍ କରିପାରିବେ। ମାଲକାନଗିରି ଜିଲ୍ଲାରେ ଏକ ସ୍ୱଚ୍ଛ, ଅଂଶଗ୍ରହଣମୂଳକ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ନିର୍ବାଚନ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରକାଶ କରିଛନ୍ତି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.