
ବୀରମିତ୍ରପୁର, ୦୫/୦୭ (ନିସର୍ତ୍ତ ନ୍ୟୁଜ୍ ) : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୮ଟି ମୋଟରସାଇକେଲ୍କୁ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ଦୁଇଜଣ ଆନ୍ତଃଜିଲ୍ଲା ବାଇକ୍ ଚୋରକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାଏବଗା ଥାନା ଅନ୍ତର୍ଗତ ବାଙ୍କୀବାହାଲ ଗ୍ରାମର ଅଲବେଟ କିଣ୍ଡ (୨୨) ଏବଂ ବିରମିତ୍ରପୁର ଥାନା ଡ଼ୁମେରଜୋର ଗ୍ରାମର କିଶୋର ଏକ୍କା (୨୮)।
ମିଳିଥିବା ସୂଚନା ଅନୁଯାୟୀ, ବିରମିତ୍ରପୁର ଥାନା କେସ୍ ନମ୍ବର ୩୧୦/୩୬ ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୦୫ ଅନ୍ତର୍ଗତ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା ୮ଟି ବାଇକ୍ ଉଦ୍ଧାର କରାଯାଇଛି। ଆଜି ଦ୍ୱୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଚୋରୀ ରାକେଟ୍ରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
