ଜଳ, ଜମି, ଜଙ୍ଗଲ ଓ ବନ୍ୟଜନ୍ତୁର ସୁରକ୍ଷା ହିଁ ମାନବ ସଭ୍ୟତାର ସୁରକ୍ଷା…

add-all


ଭେଷଜ ପଟେଲ ମହାବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳିତ; ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ଶପଥ ନେଲେ ଛାତ୍ରଛାତ୍ରୀ
ସୁନ୍ଦରଗଡ – ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ବନକ୍ଷୟ, ଜୈବ ବିବିଧତାର ହ୍ରାସ ଓ ବଢୁଥିବା ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏକ ଗମ୍ଭୀର ଆହ୍ୱାନ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ କେବଳ ବୃକ୍ଷରୋପଣ ନୁହେଁ, ବରଂ ଜଳ, ଜମି, ଜଙ୍ଗଲ ଓ ବନ୍ୟଜନ୍ତୁର ସମନ୍ୱିତ ସୁରକ୍ଷା ହିଁ ଏକ ସୁସ୍ଥ, ସମୃଦ୍ଧ ଓ ଟିକାଉ ଭବିଷ୍ୟତର ମୂଳ ଆଧାର। ଏହି ବାର୍ତ୍ତାକୁ ସମାଜରେ ପହଞ୍ଚାଇବା ଏବଂ ଯୁବପିଢ଼ୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଲକ୍ଷ୍ୟରେ ହେମଗିର ବ୍ଲକର ଡୁଡୁକାସ୍ଥିତ ଭେଷଜ ପଟେଲ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା (ଏନ୍‌.ଏସ୍‌.ଏସ୍‌.) ପକ୍ଷରୁ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ୭୭ତମ ବନ ମହୋତ୍ସବ–୨୦୨୬ ପାଳନ କରାଯାଇଥିଲା।


ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱଜିତ କୁମାର ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ନମିତା ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପରିବେଶବିତ୍ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସେବକ’ ର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ଉପାଧ୍ୟାୟ କହିଥିଲେ, “ଜଳ, ଜମି, ଜଙ୍ଗଲ ଓ ବନ୍ୟଜନ୍ତୁ ପରସ୍ପର ସହ ନିବିଡ଼ ଭାବେ ଜଡ଼ିତ। ଏହାମାନଙ୍କ ମଧ୍ୟରୁ ଗୋଟିଏର କ୍ଷତି ହେଲେ ସମଗ୍ର ପରିବେଶ ବ୍ୟବସ୍ଥା ପ୍ରଭାବିତ ହୁଏ। ତେଣୁ କେବଳ ଗଛ ଲଗାଇବା ନୁହେଁ, ବରଂ ପ୍ରତ୍ୟେକ ଗଛକୁ ବଞ୍ଚାଇ ରଖିବା ଓ ପ୍ରକୃତିର ସମସ୍ତ ସମ୍ପଦର ସୁରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ। ବନ ସୁରକ୍ଷିତ ରହିଲେ ଜଳ ଉତ୍ସ ସୁରକ୍ଷିତ ରହିବ, ଜୈବ ବିବିଧତା ବଜାୟ ରହିବ ଏବଂ ଆଗାମୀ ପିଢ଼ୀ ଏକ ସୁସ୍ଥ ପରିବେଶ ପାଇବ।”
ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ସମୟରେ ବୃକ୍ଷରୋପଣକୁ ଏକ ଦିନିଆ କାର୍ଯ୍ୟକ୍ରମରେ ସୀମିତ ନ ରଖି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛର ଅଭିଭାବକ ହୋଇ ତାହାର ସୁରକ୍ଷାର ଦାୟିତ୍ୱ ନେଲେ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ କୁମାର ପଟେଲ, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ପ୍ରଦୀପ କୁମାର ଦାସ, ଅଧ୍ୟାପକ ଜୀବଧନ ପଟେଲ ପ୍ରମୁଖ ଉପସ୍ଥିତ ରହି ବନ ସଂରକ୍ଷଣ ଓ ପରିବେଶ ସଚେତନତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଫଳଜ, ଔଷଧୀୟ ଓ ଛାୟାପ୍ରଦ ବୃକ୍ଷର ଚାରା ରୋପଣ କରାଯାଇଥିଲା। ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ବୃକ୍ଷରୋପଣ ସହ ସେଗୁଡ଼ିକର ସୁରକ୍ଷା ଓ ଯତ୍ନ ନେବା ପାଇଁ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତେ ପରିବେଶ ସୁରକ୍ଷାକୁ ନିଜ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ କରିବା ପାଇଁ ଆହ୍ୱାନ ଜଣାଇଥିଲେ।

ad-week
Leave A Reply

Your email address will not be published.