
ମାଲକାନଗିରି : ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ନିର୍ଭରଶୀଳ ଶତାଧିକ ପରିବାରଙ୍କ ଜୀବନଜୀବିକା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନୂତନ ଡଙ୍ଗା ଯୋଗାଣ ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ ନିର୍ମାଣ ଶେଷ ହୋଇ ପ୍ରାୟ ଛଅ ମାସ ବିତିଯାଇଥିଲେ ମଧ୍ୟ ହିତାଧିକାରୀଙ୍କ ହାତକୁ ଡଙ୍ଗା ପହଞ୍ଚିନାହିଁ। ବରଂ ବର୍ଷାରେ ଏହି ନୂଆ ଡଙ୍ଗାଗୁଡ଼ିକ ଖୋଲା ଆକାଶ ତଳେ ପଡ଼ିରହି ପାଣିରେ ଭର୍ତ୍ତି ହେଉଥିବା ଦୃଶ୍ୟ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ପ୍ରଶ୍ନବାଚୀ କରିଛି।
ସ୍ଥାନୀୟ ଲୋକଙ୍କ ଅନୁସାରେ, ନାକାମାମୁଡ଼ି ପଞ୍ଚାୟତର ପିପଲାପଦର ଏବଂ ବଡପଦର ପଞ୍ଚାୟତର ଜାନବାଇ କଲୋନୀ ନିକଟରେ ପ୍ରାୟ ୨୫୦ରୁ ୩୦୦ଟି ନୂଆ ଡଙ୍ଗା ପଡ଼ିରହିଛି। ଏହି ଡଙ୍ଗା କେଉଁ ଗ୍ରାମର କେଉଁ ହିତାଧିକାରୀଙ୍କୁ ମିଳିବ, ବଣ୍ଟନ କେବେ ହେବ, ଡଙ୍ଗା ସହ ଲାଇଫ୍ ଜାକେଟ୍, ଆହୁଲା, ଜାଲ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ମିଳିବ କି ନାହିଁ । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠୁଛି।
ଚିତ୍ରକୋଣ୍ଡା ଭଳି ଜଳବେଷ୍ଟିତ ଅଞ୍ଚଳରେ ଡଙ୍ଗା କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ଜୀବିକା ଓ ଜୀବନର ଅନ୍ୟତମ ଆଧାର। ତେଣୁ ବର୍ଷା ଋତୁ ଅଧା ବିତିଯାଇଥିବା ସତ୍ତ୍ୱେ ଡଙ୍ଗା ବଣ୍ଟନରେ ବିଳମ୍ବ ପ୍ରଶାସନିକ ତତ୍ପରତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ସରକାର ଏହି ଯୋଜନା ପାଇଁ କେତେ ଅର୍ଥ ବ୍ୟୟ କରିଛନ୍ତି, କେଉଁ ସଂସ୍ଥା ଟେଣ୍ଡର ପାଇଥିଲା, କେବେ ପ୍ରଶାସନଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ କାଗଜ-କଲମରେ ବଣ୍ଟନ ସମ୍ପୂର୍ଣ୍ଣ ଦର୍ଶାଯାଇନାହିଁ ତ ଏଭଳି ପ୍ରଶ୍ନର ଉତ୍ତର ଏବେ ଜନସାଧାରଣ ଅପେକ୍ଷା କରୁଛନ୍ତି। ସମଗ୍ର ଘଟଣାର ସ୍ୱଚ୍ଛ ତଦନ୍ତ କରି ଶୀଘ୍ର ହିତାଧିକାରୀଙ୍କୁ ଡଙ୍ଗା ବଣ୍ଟନ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
