ଭିନ୍ନକ୍ଷମ ପ୍ରମାଣପତ୍ର ଥିଲେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ସୁକଲ ହରିଜନ: ପ୍ରଶାସନିକ ଅବହେଳା ନା ସରକାରୀ ବ୍ୟବସ୍ଥାର ତ୍ରୁଟି ?

add-all

ବାସଗୃହ ଓ ଭତ୍ତା ପାଇଁ ଆକୁଳ ନିବେଦନ
ଉମରକୋଟ/ରାଇଘର : ଗରିବ, ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା କାର୍ଯ୍ୟକରୀ କରୁଥିବା ଦାବି କରୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ଭିନ୍ନ ଥିବା ଅଭିଯୋଗ ସାମ୍ନାକୁ ଆସୁଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହୀ ପଞ୍ଚାୟତର ହନ୍ଦାପାରା ଗ୍ରାମର ଭିନ୍ନକ୍ଷମ ମହିଳା ସୁକଲ ହରିଜନଙ୍କ ଘଟଣା ଏବେ ସରକାରୀ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠାଇଛି।
ସୁକଲ ହରିଜନଙ୍କ କହିବାନୁସାରେ, ସେ ୨୦୧୩ ମସିହାରେ ବୈଧ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ। ତଥାପି ଦୀର୍ଘ ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ଭିନ୍ନକ୍ଷମ ଭତ୍ତା, ଆବାସ ଯୋଜନା କିମ୍ବା ଅନ୍ୟାନ୍ୟ ସରକାରୀ ସହାୟତା ମିଳିନାହିଁ। ବର୍ତ୍ତମାନ ସେ କେବଳ ରେସନ କାର୍ଡ ମାଧ୍ୟମରେ ୫ କେଜି ମାଗଣା ଚାଉଳ ପାଉଥିବା କହିଛନ୍ତି।
ପରିବାରରେ କେବଳ ସ୍ୱାମୀ-ସ୍ତ୍ରୀ ଦୁଇଜଣ ରହୁଥିବା ବେଳେ, ସ୍ୱାମୀ ଦିନମଜୁରି କରି ଘର ଚଳାଉଛନ୍ତି। ଅଭାବ ଓ ଅନଟନ ମଧ୍ୟରେ ଜୀବନ ବିତାଉଥିବା ସତ୍ତ୍ୱେ ଯୋଗ୍ୟ ହୋଇ ମଧ୍ୟ ସରକାରୀ ସୁବିଧାରୁ ବଞ୍ଚିତ ରହିଥିବା ଅଭିଯୋଗ ତାଙ୍କ ଦୁଃଖକୁ ଆହୁରି ବଢ଼ାଇଛି।
ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ, ସୁକଲ ହରିଜନଙ୍କ ପାଖରେ ବୈଧ ଭିନ୍ନକ୍ଷମ ପ୍ରମାଣପତ୍ର ଥିଲେ ମଧ୍ୟ ତାଙ୍କ ନାମରେ ଭତ୍ତା କିମ୍ବା ଆବାସ ଯୋଜନାର ସୁବିଧା ମଞ୍ଜୁର ହୋଇନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏହି ଘଟଣାକୁ ନେଇ ଏବେ ପ୍ରଶ୍ନ ଉଠୁଛି—ଯଦି ଜଣେ ବୈଧ ଭିନ୍ନକ୍ଷମ ମହିଳା ବର୍ଷ ବର୍ଷ ଧରି ସରକାରୀ ସହାୟତାରୁ ବଞ୍ଚିତ ରୁହନ୍ତି, ତେବେ ସରକାରଙ୍କ କଲ୍ୟାଣମୂଳକ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିପରି ପହଞ୍ଚୁଛି? ପଞ୍ଚାୟତ ସ୍ତରରେ ଆବେଦନର ଯଥାର୍ଥ ଯାଞ୍ଚ ହେଉଛି କି ନାହିଁ ? ବ୍ଲକ ପ୍ରଶାସନ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନିୟମିତ ସମୀକ୍ଷା କରାଯାଉଛି କି ନାହିଁ ? “ନା ତେଲିଆ ମୁଣ୍ଡରେ ତେଲ ” ଏପରି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଛି।
ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ, ଯଦି ଯୋଗ୍ୟ ହିତାଧିକାରୀମାନେ ଦୀର୍ଘ ବର୍ଷ ଧରି ସରକାରୀ ସୁବିଧାରୁ ବଞ୍ଚିତ ରୁହନ୍ତି, ତେବେ ଏହା ପ୍ରଶାସନିକ ତଦାରଖରେ ଅଭାବ କିମ୍ବା ପ୍ରକ୍ରିୟାଗତ ତ୍ରୁଟିର ସଙ୍କେତ ହୋଇପାରେ। ସେମାନେ ଘଟଣାର ନିରପେକ୍ଷ ତଦନ୍ତ କରି ଯଦି କୌଣସି ଅବହେଳା କିମ୍ବା ବିଳମ୍ବ ଥାଏ, ତାହାର କାରଣ ସ୍ପଷ୍ଟ କରିବା ସହ ଯୋଗ୍ୟ ସହାୟତା ଶୀଘ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି।
ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ, ରାଇଘର ବ୍ଲକ ପ୍ରଶାସନ ଏବଂ ତୁରୁଡିହୀ ପଞ୍ଚାୟତକୁ ଘଟଣାର ତୁରନ୍ତ ଯାଞ୍ଚ କରି ସୁକଲ ହରିଜନଙ୍କୁ ଯୋଗ୍ୟତା ଅନୁଯାୟୀ ଭିନ୍ନକ୍ଷମ ଭତ୍ତା, ଆବାସ ଯୋଜନା ଓ ଅନ୍ୟାନ୍ୟ ସରକାରୀ ସହାୟତା ଶୀଘ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.