
ଘଣ୍ଟା ଘଣ୍ଟା ବିଳମ୍ବ ପରେ ସମାଧାନ
ନୟାଗଡ଼: ନୟାଗଡ଼ ପବିତ୍ର ରଥଯାତ୍ରା ଅବସରରେ ଛେରାପହଁରା ନୀତିକୁ କେନ୍ଦ୍ର କରି ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ତିନୋଟି ରଥରେ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଛେରାପହଁରା କରିବେ ବୋଲି ପ୍ରଶାସନିକ ନିର୍ଦ୍ଦେଶ ଥିବା କଥାକୁ ନେଇ ମନ୍ଦିର ସେବାୟତ ଓ ସ୍ଥାନୀୟ ବାସିନ୍ଦା ତୀବ୍ର ବିରୋଧ ପ୍ରକାଶ କରିଥିଲେ। ଫଳରେ ରଥଯାତ୍ରାର ନୀତିକାନ୍ତିରେ ଘଣ୍ଟା ଘଣ୍ଟା ବିଳମ୍ବ ଘଟିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଘଟଣାସ୍ଥଳରେ ପହଞ୍ଚି ସେବାୟତ, ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟ ଧରି ବୁଝାସୁଝା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ପରବର୍ତ୍ତୀ ସମୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ପରିଛାଙ୍କ ଦ୍ୱାରା ତିନିରଥରେ ଛେରାପହଁରା ନୀତି ସମ୍ପନ୍ନ କରାଯାଇଥିଲା। ଏହା ପରେ ରଥଯାତ୍ରାର ଅନ୍ୟାନ୍ୟ ନୀତି ସୁରୁଖୁରୁରେ ଆଗକୁ ବଢ଼ିଥିଲା। ଛେରାପହଁରା ନୀତିକୁ ନେଇ ସୃଷ୍ଟି ହୋଇଥିବା ଏହି ବିବାଦ ନୟାଗଡ଼ ରଥଯାତ୍ରାରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପାରମ୍ପରିକ ପରମ୍ପରା ଅନୁସାରେ ନୀତି ସମ୍ପନ୍ନ ହେବାରୁ ଭକ୍ତମାନେ ଖୁସି ପ୍ରକାଶ କରିଛନ୍ତି।
