ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ : ଜାରି ହେଲା ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରି

add-all

୪ ଓ ୫ ଅଗଷ୍ଟରେ ବିଭିନ୍ନ ରୁଟ୍‌ରେ କଟକଣା, ସହଯୋଗ କରିବାକୁ ଜନସାଧାରଣଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ

ବ୍ରହ୍ମପୁର : ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଓ ୫ ଅଗଷ୍ଟ ଦୁଇ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରେ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରି ଜାରି କରିଛି ଜିଲ୍ଲା ପ୍ରଶାସନ। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଡଭାଇଜରି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ରାଷ୍ଟ୍ରପତିଙ୍କ କନଭୟ ଯାଉଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ସୁଗମ ଯାତାୟାତ ପାଇଁ ବିଭିନ୍ନ ସମୟରେ ଯାନବାହନ ଚଳାଚଳ ଉପରେ ଅସ୍ଥାୟୀ କଟକଣା ଲାଗୁ କରାଯିବ ।

ଆଡଭାଇଜରି ଅନୁଯାୟୀ, ୪ ଅଗଷ୍ଟ ସକାଳ ୧୦ଟାରୁ ୧୧ଟା ୪୫ ପର୍ଯ୍ୟନ୍ତ ଅନ୍ଧପସରା ଛକରୁ ଫାଷ୍ଟ ଗେଟ୍ ପର୍ଯ୍ୟନ୍ତ ଏବଂ ବିପରୀତ ଦିଗରେ ଭାରୀ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସକାଳ ୧୦ଟା ୩୦ରୁ ୧୧ଟା ୪୫ ପର୍ଯ୍ୟନ୍ତ କାର୍, ଅଟୋରିକ୍ସା ଭଳି ହାଲୁକା ଯାନ ମଧ୍ୟ ଏହି ରୁଟ୍‌ରେ ଚଳାଚଳ କରିପାରିବେ ନାହିଁ। ସେହିପରି ସକାଳ ୧୦ଟା ୪୫ରୁ ଅନ୍ଧପସରା ଛକରୁ ହରିଡାଖଣ୍ଡି ଛକ ମଧ୍ୟରେ ଦୁଇଚକିଆ ଯାନ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ ହେବ। ସ୍କୁଲ ବସ୍‌ଗୁଡ଼ିକୁ ଲାଞ୍ଜିପାଲି ବାଇପାସ୍ ଦେଇ ସହରକୁ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ୪ ଅଗଷ୍ଟ ଅପରାହ୍ନ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଫାଷ୍ଟ ଗେଟ୍‌ରୁ ହଳଦିଆପଦର ଅଭିମୁଖେ ଭାରୀ ଯାନ ଚଳାଚଳ ବନ୍ଦ ରହିବ। ଏହି ସମୟରେ ଫାଷ୍ଟ ଗେଟ୍‌ରୁ ଅନ୍ଧପସରା ମଧ୍ୟରେ ହାଲୁକା ଯାନ ଚଳାଚଳ ମଧ୍ୟ ବନ୍ଦ ରହିବ। ସନ୍ଧ୍ୟା ୪ଟାରୁ ହରିଡାଖଣ୍ଡି ଛକରୁ ହଳଦିଆପଦର ରାସ୍ତାରେ ଦୁଇଚକିଆ ଯାନ ଏବଂ ହଳଦିଆପଦରରୁ ଏନ୍‌ଏଚ୍–୧୬ ଛତ୍ରପୁର ଅଭିମୁଖେ ଭାରୀ ଯାନ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ ହେବ।

୫ ଅଗଷ୍ଟ ସକାଳେ ରାଷ୍ଟ୍ରପତିଙ୍କ ଫେରିବା କାର୍ଯ୍ୟକ୍ରମକୁ ନେଇ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନରୁ ଏନ୍‌ଏଚ୍–୧୬ ଗୋଳନ୍ଥରା ଅଭିମୁଖେ ଭାରୀ ଯାନ ଚଳାଚଳ ବନ୍ଦ ରହିବ। ସକାଳ ୯ଟା ୩୦ରୁ ହାଲୁକା ଯାନ ଏବଂ ୯ଟା ୪୫ରୁ ଦୁଇଚକିଆ ଯାନ ଉପରେ ମଧ୍ୟ ସମାନ କଟକଣା ଲାଗୁ ହେବ।

ସୂଚନା ଯୋଗ୍ୟ ଯେ, ୪ ଅଗଷ୍ଟ ସକାଳ ପ୍ରାୟ ୧୧ଟାରୁ ୧୧ଟା ୩୦ ମଧ୍ୟରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ପରେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ। ୫ ଅଗଷ୍ଟରେ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ସହର ଓ ଆଖପାଖରେ ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ, ବରିଷ୍ଠ ପୋଲିସ ଅଧିକାରୀ ଓ ବିଭିନ୍ନ ସୁରକ୍ଷା ସଂସ୍ଥାର ଅଧିକାରୀମାନେ ମୁତୟନ ରହିବେ। ସେହିପରି ତପ୍ତପାଣି ଓ ଆଖପାଖ ଅଂଚଳରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ।

ଅଗ୍ନିଶମ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ଯାନ ଉପରେ ଏହି କଟକଣା ଲାଗୁ ହେବ ନାହିଁ। ବ୍ରହ୍ମପୁର ସହରବାସୀ ତାସହିତ ଯେଉଁ ରାସ୍ତାରେ ମାନ୍ୟବର ରାଷ୍ଟ୍ରପତି ଯିବେ ସେହି ରାସ୍ତାରେ ଟ୍ରାଫିକ୍ ଆଡଭାଇଜରି ପାଳନ କରିବା, ବିକଳ୍ପ ରୁଟ୍ ବ୍ୟବହାର କରିବା ଏବଂ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା ଶ୍ରବଣା ବିବେକ ଏମ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିଶି, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।

ad-week
Leave A Reply

Your email address will not be published.