
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ବଡଲିଗୁଡା ଅଞ୍ଚଳରେ ମଙ୍ଗଳବାର କାଲିମେଳା ପୋଲିସ ବଡ଼ ଧରଣର ଗଞ୍ଜେଇ ଚାଲାଣ ବ୍ୟବସାୟ ଉପରେ ଚଢାଉ କରି ସଫଳତା ପାଇଛି । ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ପୋଲିସ ବଡଲିଗୁଡା ଅଞ୍ଚଳରେ ଚଢାଉ କରି ଏକ ପିକଅପ୍ ଭ୍ୟାନ୍ ରୁ ୩୨୦ କିଲୋ ଗଞ୍ଜେଇ ଜବତ କରିଛି ।
ଏହି ଚୋରା ଚାଲାଣ ହେଉଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି । ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଏମଭି-୭୨ ଗ୍ରାମର ରାମକୃଷ୍ଣ ଦାସ(୨୭) ଏବଂ ଏମଭି-୧୨୬ ଗ୍ରାମର ବବୁଲ ଦତ୍ତ(୨୯) । ଗିରଫ ପରେ ଉଭୟଙ୍କୁ ପୋଲିସ ହେପାଜତରେ ନେଇ ପଚରାଉଚରା କରିବା ସହ ତାଙ୍କ ଠାରୁ ନଗଦ ୧୧୦୦୦ ଟଙ୍କା ମଧ୍ୟ ଜବତ କରିଛି । ଏହି ଗଞ୍ଜେଇ କେଉଁଠୁ ଆସୁଥିଲା ଏବଂ କେଉଁଠାକୁ ଯାଉଥିଲା ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏନେଇ କାଲିମେଳା ଥାନାରେ ଏନଡିପିଏସ ଆଇନ ଅନୁଯାୟୀ ୧୭୦/୨୬ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି ।
