
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ବର୍ଷା ପାଣି ନିଷ୍କାସନର ସୁବିଧା ନଥିବାରୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଫଳରେ ପ୍ରାୟ ଦୁଇ ଘଣ୍ଟା ଧରି ଯାତାୟାତ ବ୍ୟାହତ ହୋଇଥିଲା ।
ପାଣି ଜମି ରହିବାରୁ ମୋଟରସାଇକେଲ ଚାଳକ ଓ ପଦଚାରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି ଯାନବାହନ ଧୀର ଗତିରେ ଚଳାଚଳ କରିଥିବା ବେଳେ ଅନେକ ଲୋକ ବିକଳ୍ପ ରାସ୍ତା ବ୍ୟବହାର କରିଥିଲେ। ସେହିପରି ରାଜପଥ କଡ଼ରେ ଥିବା କିଛି ଘର ଓ ଦୋକାନ ଭିତରକୁ ମଧ୍ୟ ବର୍ଷା ଜଳ ପଶିଯାଇ କ୍ଷତି ସୃଷ୍ଟି କରିଥିଲା ।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ଉକ୍ତ ସ୍ଥାନରେ ବର୍ଷା ଜଳ ଜମୁଥିବା ସତ୍ତ୍ୱେ ସ୍ଥାୟୀ ସମାଧାନ କରାଯାଇନାହିଁ। ତେଣୁ ଏନ୍ଏଚ୍ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଓ ସ୍ଥାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
