
ନୟାଗଡ଼ (ନିସର୍ତ୍ତ) : ସରକାର କୋଟି କୋଟି ଟଙ୍କା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ କରି ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗେଇ ଦେବାପାଇଁ ଉନ୍ନତ ମାନର ଚିକିତ୍ସା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆଖ ପାଖ ଅଞ୍ଚଳରୁ ପ୍ରାୟ ୫୦ ଗ୍ରାମରୁ ଉର୍ଦ୍ଧ ଲୋକମାନେ ନିର୍ଭର କରିଥାନ୍ତି । କିନ୍ତୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ସମ୍ପୂର୍ଣ ବିଫଳ ସାଜିଛି ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପାଳିରେ ଚାଲି ଥିବା ବେଳେ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସାହାରା ସାଜିଛନ୍ତି ଆୟୁଷ ଡାକ୍ତର ଚିତ୍ରଲେଖା ମହାପାତ୍ର ।
ଅନ୍ୟ ଡାକ୍ତରମାନେ ସପ୍ତାହକୁ ତିନି ଦିନ ପାଳିରେ କରୁଛନ୍ତି । କିନ୍ତୁ ଶ୍ରୀମତୀ ମହାପାତ୍ର ସପ୍ତାହକୁ ପାଞ୍ଚ ରୁ ଛଅ ଦିନ ଦିନରାତି ରୋଗୀ ସେବା କରୁଛନ୍ତି । ଶ୍ରୀମତୀ ମହାପାତ୍ର ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିବା ମାତ୍ରେ ରୋଗୀ ମାନଙ୍କ ଲମ୍ବା ଲାଇନ ଲାଗି ରହି ଥାଏ। ରୋଗୀ ମାନଙ୍କୁ ଉତ୍ତମ ବ୍ୟବହାର କରିବା ସହିତ ରୋଗୀଙ୍କୁ ସଠିକ୍ ଚିକିତ୍ସା କରୁଛନ୍ତି । ତେଣୁ ପ୍ରତ୍ୟେକ ଦିନ ରୋଗୀ ମାନେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିବା ମାତ୍ରେ ଶ୍ରୀମତୀ ମହାପାତ୍ରଙ୍କ ପାଖରେ ଲମ୍ବା ଲାଇନର ଭିଡ ଦେଖିବାକୁ ମିଳିଥାଏ । ତେଣୁ ପର୍ଯ୍ୟାପ୍ତ ଡାକ୍ତର ନିଯୁକ୍ତି ପାଇଁ ଜନ ସାଧାରଣ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
