
ନୟାଗଡ଼ (ନିସର୍ତ୍ତ) : ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଦାମୋଦର ଦାସ ମୋଦୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ ଆଜିଠାରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଏହି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆଜିଠାରୁ ଆସନ୍ତା ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକମାନେ ନିଜ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମ ପ୍ରକଟ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏନେଇ ନୟାଗଡ ଜିଲ୍ଲା ରଣପୁର ଏନଏସି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରବିବାର ଦିନ ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି ।
ରଣପୁର ଏନଏସି ଅଧକ୍ଷା ରଙ୍ଗୀନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ପୁରୀ ସାଂସଦ ଡକ୍ଟର ସମ୍ବିଦ ପାତ୍ର, ବାଚସ୍ପତି ସୁରମା ପାଢୀ, ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ବିଶାଳ ରାଲି ରଣପୁର ବସ ଷ୍ଟାଣ୍ଡରୁ ବାହାରି ବଜାର ପରିକ୍ରମା କରି ସହିଦ ରଘୁ ଦିବାକର ମଣ୍ଡପ ପଯ୍ୟନ୍ତ ଚାଲୁ ରହି ଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର ମହାବିଦ୍ୟାଳୟର ଏନ ସି ସି ଛାତ୍ରଛାତ୍ରୀମାନେ, ବିସି ହାଇ ସ୍କୁଲର ଏନ ସି ସି ଓ ଅନ୍ୟ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏଥି ସହିତ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ମହିଳାମାନେ ଏହି ରାଲୀରେ ଯୋଗ ଦେଇଥିଲେ ।
