
ମହିଳାଙ୍କୁ ସ୍ୱାବଲମ୍ବୀ କରି ଗଢ଼ିବା ପାଇଁ ସହାୟତା ସାମଗ୍ରୀ ବଣ୍ଟନ
କାହ୍ନାକୁଣ୍ଡ ହେବ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ
ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ଗତକାଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ତତ୍ ସହିତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ।
ଏହି ପରିଦର୍ଶନ ସମୟରେ ସେ ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିବା ସହ ସରକାରୀ ସେବା ଓ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ।
ଏହି ଅବସରରେ ଭବାନୀପୁର ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କୁ ଦିଆଯାଉଥିବା ଶିକ୍ଷଣ ସାମଗ୍ରୀ, ପୁଷ୍ଟିକର ଖାଦ୍ୟ ଓ କେନ୍ଦ୍ରର ଦୈନନ୍ଦିନ କାର୍ଯ୍ୟକଳାପ ଗୁଡ଼ିକର ସମୀକ୍ଷା କରିଥିଲେ ଏବଂ କୁନି କୁନି ଶିଶୁଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ। ଏହି ଅବସରରେ ସେ ଅଙ୍ଗନବାଡି କର୍ମୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ସେହିଭଳି ବାଲିଶଙ୍କରା ବ୍ଲକ ଅର୍ନ୍ତଗତ ଘୋଗର ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କୁ ସଶକ୍ତୀକରଣ ତଥା ସ୍ୱାବଲମ୍ବୀ କରିବା ଦିଗରେ ସହାୟତା କରିବା ପାଇଁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମହିଳାମାନଙ୍କୁ ସିଲେଇ ମେସିନ, ଫଳନ୍ତି ଗଛର ଚାରା ଏବଂ ଏକ ମାସ ବୟସର କୁକୁଡ଼ା ଛୁଆ ବଣ୍ଟନ କରିଥିଲେ। ଏହି ଅବସରରେ ମହିଳାଙ୍କୁ ସଶକ୍ତ କରିବା ଲାଗି ସରକାର ବିଭିନ୍ନ ପ୍ରକାର କଲ୍ୟାଣକାରୀ ଯୋଜନା , କାର୍ଯ୍ୟକ୍ରମ ଆଦି କାର୍ଯ୍ୟକାରୀ କରିଛନ୍ତି ଏବଂ ଏହି ସବୁ ଯୋଜନା ଗୁଡିକରେ ଅର୍ନ୍ତଭୁକ୍ତ ହୋଇ ଯୋଜନା ଗୁଡ଼ିକର ଲାଭ ନେବାକୁ ବକ୍ତବ୍ୟ ରଖିଥିଲେ। ସେହିଭଳି ଜିଲ୍ଲା ରେ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବା ନେଇ ମଧ୍ୟ ଆହ୍ୱାନ ଦେଇଥିଲେ।
ପରେ ପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରାକୃତିକ ସୌନ୍ଦର୍ଯ୍ୟଭରା କାହ୍ନାକୁଣ୍ଡ ପରିଦର୍ଶନ କରିଥିଲେ। କାହ୍ନାକୁଣ୍ଡକୁ ଏକ ଆନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ସେ ଉପସ୍ଥିତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରି ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ବାଲିଶଙ୍କରା ବ୍ଲକ ଠାରେ ଥିବା ଏହି କାହ୍ନାକୁଣ୍ଡକୁ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ଗଢିବା ହେଉଛି ଆମର ଲକ୍ଷ୍ୟ। ଏହା ସହ ଏହି ପର୍ଯ୍ୟଟନ ସ୍ଥଳୀ ଭାବେ ଗଠନ ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିପାରିବ ବୋଲି ଶ୍ରୀମତୀ ପରିଡା କହିଥିଲେ। ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା, ମହିଳା ସଶକ୍ତୀକରଣ ଏବଂ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱ ଦରବାରରେ ପହଞ୍ଚାଇବ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ।
ଏହି କ୍ଷେତ୍ର ପରିଦର୍ଶନ ସମୟରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜନଜାତି ପରାମର୍ଶଦାତା କମିଟିର ସଭ୍ୟ ତଥା ପୂର୍ବତନ ବିଧାୟିକା କୁସୁମ ଟେଟେ, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକାରୀ ଅମ୍ରିତ ପାଲ କୌର, ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପ ଜିଲ୍ଲାପାଳ ତେଜସ୍ୱିନୀ ବେହେରା ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
