ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ପକ୍ଷରୁ ‘ଅପରାଧୀ ନିରୀକ୍ଷଣ ଓ ଟ୍ରାକିଂ ବ୍ୟବସ୍ଥା’ (Criminal Monitoring and Tracking System) ଅଧୀନରେ ଏକ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ସ୍ପେଶାଲ ଜେଲ୍ ଏବଂ ବଣାଇ ଜେଲ୍ ପରିସରରେ ଏକ ଜେଲ୍ ପ୍ୟାରେଡ୍ର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ତଥା ସମ୍ପୃକ୍ତ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି କାରାବନ୍ଦୀମାନଙ୍କର ପରିଚୟ ନିରୂପଣ, ପୁଙ୍ଖାନୁପୁଙ୍ଖ ଯାଞ୍ଚ ଏବଂ ଗତିବିଧି ନିରୀକ୍ଷଣ କରିଥିଲେ। ପୋଲିସ ରେକର୍ଡକୁ ଅଧିକ ବ୍ୟବସ୍ଥିତ ଓ ସୁଦୃଢ଼ କରିବା ସହିତ ଅପରାଧୀମାନଙ୍କ ପୂର୍ବ ଇତିହାସ ଓ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଅପରାଧ ନିୟନ୍ତ୍ରଣ, ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଏବଂ ପ୍ରଭାବଶାଳୀ ଟ୍ରାକିଂ ମାଧ୍ୟମରେ ଅଞ୍ଚଳରେ ଏକ ଭୟମୁକ୍ତ ତଥା ସୁରକ୍ଷିତ ସମାଜ ଗଠନ ପାଇଁ ରାଉରକେଲା ପୋଲିସ ସର୍ବଦା ପ୍ରତିବଦ୍ଧ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
