ଜନଭାଗିଦାରୀ ଓ ଜନଜାତି ଶିକ୍ଷାର ବିକାଶ ଉପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଗୁରୁତ୍ୱ, ଚିତ୍ରକୋଣ୍ଡାରେ ମାଛ ଚାଷ ଓ ଜିଲ୍ଲାରେ ଶିଳ୍ପଦ୍ୟୋଗୀ ସୃଷ୍ଟି ପାଇଁ ଆହ୍ୱାନ
ମାଲକାନଗିରି : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସେବା ସଂକଳ୍ପ ଅଭିଯାନର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ବୈଠକରେ ସଭାପତିତ୍ୱ କରି କାର୍ଯ୍ୟକ୍ରମର ସୂଚାରୁ ମାର୍ଗଦର୍ଶନ କରିଥିଲେ। ଗତ ୧୭ ସେପ୍ଟେମ୍ୱର ରୁ ଆରମ୍ଭ ହୋଇ ଆସନ୍ତା ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବ୍ୟାପକ ଅଭିଯାନର ଚଳିତ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ହୋଇଥିବା ଅଗ୍ରଗତି ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଛି।
ଏହି ଅବସରରେ ନିଜର ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗରିବ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏବଂ ଏହାକୁ ଏକ ବ୍ୟାପକ ଜନଭାଗିଦାରୀରେ ପରିଣତ କରିବା ହିଁ ସେବା ସଂକଳ୍ପ ଅଭିଯାନର ମୂଳ ଲକ୍ଷ୍ୟ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଆମକୁ ଯୁବପିଢ଼ିଙ୍କୁ ଉତ୍ସାହିତ କରିବାକୁ ହେବ। ମାଲକାନଗିରି ଭଳି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜନଜାତି ଶିକ୍ଷା ଓ ଅଙ୍ଗନୱାଡ଼ି ବ୍ୟବସ୍ଥାର ସୁଦୃଢ଼ୀକରଣ ଏକାନ୍ତ ଆବଶ୍ୟକ। ଏଥିସହ, ଚିତ୍ରକୋଣ୍ଡା ଅଞ୍ଚଳରେ ମାଛ ଚାଷର ବ୍ୟାପକ ସମ୍ଭାବନାକୁ ଆଗକୁ ବଢ଼ାଇବା ସହ ଜିଲ୍ଲାର ପ୍ରତି ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଲକ୍ଷ୍ୟ ରଖି ଅଧିକରୁ ଅଧିକ ସ୍ଥାନୀୟ ଶିଳ୍ପଦ୍ୟୋଗୀ ସୃଷ୍ଟି କରିବା ଉପରେ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ।
ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ବିଭାଗର ମଧ୍ୟ ସମୀକ୍ଷା କରିବା ସହ ସରକାରୀ ଯୋଜନାଗୁଡ଼ିକ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କହିଛନ୍ତି। ବିଶେଷ କରି ମାଲକାନଗିରି ଓ କୋରାପୁଟ ଅଞ୍ଚଳରେ ଶିଳ୍ପଦ୍ୟୋଗର ବିକାଶ ପାଇଁ ସରକାରଙ୍କ ପକ୍ଷରୁ କୌଣସି ସୀମିତ ଟାର୍ଗେଟ୍ ରଖାଯାଇ ନାହିଁ, ତେଣୁ ଏହି ଅଞ୍ଚଳରୁ ଯେତେ ଅଧିକରୁ ଅଧିକ ସଂଖ୍ୟାରେ ନୂତନ ଉଦ୍ୟୋଗୀ ବାହାରି ପାରିବେ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ବୈଠକରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମନ୍ତ୍ରୀଙ୍କୁ ସେବା ସଂକଳ୍ପ ଅଭିଯାନ ବିଷୟରେ ଅବଗତ କରାଇଥିଲେ । ଏହାପରେ ମାଲକାନଗିରିର ବିଧାୟକ ନରସିଂହ ମାଡକାମୀ
ଅଭିଯାନର ସଫଳ ରୂପାୟନ ନେଇ ନିଜର ମାର୍ଗଦର୍ଶନ ଓ ଗୁରୁତ୍ୱପୂର୍ଣ୍ଣ ଅଭିମତ ଉପସ୍ଥାପନ କରିଥିଲେ। ଗ୍ରାମାଞ୍ଚଳରେ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଏବଂ ଜନସଚେତନତା ବୃଦ୍ଧି ପାଇଁ ସେବା ଜ୍ୟୋତି ଯାତ୍ରା, ପଥପ୍ରାନ୍ତ ନାଟକ ଓ ରଙ୍ଗୋଲି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି। ଶେଷରେ ସମସ୍ତ ଜନପ୍ରତିନିଧି, ଅଧିକାରୀ ଓ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କର ସକ୍ରିୟ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରାଯାଇ ବୈଠକ ସାଙ୍ଗ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ଥିଲେ।
