ଅଧା ରାସ୍ତାରେ ଯୋଜନା ,ପଇସା ସରିଲା, ଯୋଜନା ସରିଲା; ହସ୍ତାନ୍ତର ଅପେକ୍ଷାରେ ପ୍ରଧାନିଗୁଡ଼ା ବଟାନିକାଲ୍ ଗାର୍ଡେନ

ମାଲକାନଗିରି : ସରକାରୀ ଅର୍ଥରେ ନିର୍ମିତ ପ୍ରଧାନିଗୁଡ଼ା ବଟାନିକାଲ୍ ଗାର୍ଡେନ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହୋଇଛି। ବନ ବିଭାଗ ପକ୍ଷରୁ ଏହି ଉଦ୍ୟାନର କାର୍ଯ୍ୟ କେବେ ଆରମ୍ଭ ହୋଇଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ, ସ୍ଥଳରେ ଥିବା ଫଳକରେ ୧୯/୦୧/୨୦୨୪ ତାରିଖ ଉଲ୍ଲେଖ ରହିଛି।

ଏଠାରେ ଶତାଧିକ ପ୍ରକାରର ମୂଲ୍ୟବାନ ଗଛ ରହିଥିବା ବେଳେ ଏହାର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠିଛି। ନର୍ସରୀ ଚାରିପାଖରେ ପ୍ଲାଷ୍ଟିକ ବୋତଲ, ମଦ ବୋତଲ, କେନ୍ ଓ ପାଉଚ୍ ପଡ଼ିଥିବା ଦେଖିବାକୁ ମିଳୁଛି। ଏହା ସହିତ ବିଭିନ୍ନ ସ୍ଥାନରେ ଭଙ୍ଗା କାଚ ପଡ଼ିଥିବାରୁ ପରିଦର୍ଶକଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।

ବଟାନିକାଲ୍ ଗାର୍ଡେନର ୱାଚ୍ ଟାୱାର ଅଞ୍ଚଳରେ ମଧ୍ୟ ମଦ୍ୟପାନ ହେଉଥିବା ଅଭିଯୋଗ ରହିଛି। ଦିନ ସମୟରେ ମଧ୍ୟ ଏଭଳି ପରିବେଶ ଦେଖାଯାଉଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି। ରାତି ସମୟରେ ଅଞ୍ଚଳଟି ଅନ୍ଧକାରମୟ ରହୁଥିବାରୁ ରାତ୍ରି ସମୟର ପରିସ୍ଥିତି ସମ୍ପର୍କିତ ଦୃଶ୍ୟ ସଂଗ୍ରହ କରିବା ସମ୍ଭବ ହୋଇନଥିବା ଜଣାପଡ଼ିଛି।

ଏଭଳି ପରିସ୍ଥିତି ଯୋଗୁଁ ପରିବାର ସହ ବଟାନିକାଲ୍ ଗାର୍ଡେନ ବୁଲିବାକୁ ଲୋକେ ଅମଙ୍ଗ ହେଉଥିବା ବେଳେ ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ସରକାରଙ୍କ ଲକ୍ଷାଧିକ ଟଙ୍କା ବ୍ୟୟରେ ଗଢ଼ିଉଠିଥିବା ଏହି ଉପାଦେୟ ସ୍ଥଳୀର ଉଦ୍ଦେଶ୍ୟ ଯଦି ରକ୍ଷଣାବେକ୍ଷଣ ଅଭାବରୁ ବିଫଳ ହୁଏ, ତେବେ ଏହା ସରକାରୀ ଅର୍ଥର ସଦୁପଯୋଗକୁ ନେଇ ପ୍ରଶ୍ନ ସୃଷ୍ଟି କରିପାରେ। ତେଣୁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏହାର ସୁରକ୍ଷା, ସଫେଇ, ଆଲୋକୀକରଣ ଓ ରକ୍ଷଣାବେକ୍ଷଣ ଦିଗରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।

ଯଦି ଉପଯୁକ୍ତ ବ୍ୟବସ୍ଥା କରାଯାଏ, ତେବେ ଏଠାରେ ଥିବା ବିଭିନ୍ନ ପ୍ରଜାତିର ଗଛ ସମ୍ପର୍କରେ ଲୋକେ ଜାଣିବା ସହିତ ପ୍ରଧାନିଗୁଡ଼ା ବଟାନିକାଲ୍ ଗାର୍ଡେନକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଇପାରିବ।

ad-week
Leave A Reply

Your email address will not be published.