କବିସୂର୍ଯ୍ୟନଗରରେ ଜିଲ୍ଲାସ୍ତରୀୟ ଜନଶୁଣାଣି

୧୫୫ଟି ଅଭିଯୋଗ ଦାଖଲ, ୪ଟିର ତତ୍କାଳ ସମାଧାନ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ମୁଖ୍ୟାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ୧୫୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୩୯ଟି ବ୍ୟକ୍ତିଗତ ସମସ୍ୟା ଓ ୧୬ଟି ଗ୍ରାମ ସମ୍ପର୍କିତ ଅଭିଯୋଗ ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ସହାୟତା ପାଇଁ ୨ଟି ଆବେଦନ ମଧ୍ୟ ଗ୍ରହଣ କରାଯାଇଥିଲା।

ଜନଶୁଣାଣି ସମୟରେ ୪ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଦିବ୍ୟାଙ୍ଗ ଓ ଆବଶ୍ୟକତା ଥିବା ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା। ୧୬ ଜଣ ହିତାଧିକାରୀଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ମୋଟ ୮୯ ହଜାର ଟଙ୍କାର ସହାୟତା, ୧୧ ଜଣଙ୍କୁ ନୂତନ ରାସନ କାର୍ଡ, ୩ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ୍‌ ଓ ୩ ଜଣଙ୍କୁ ହ୍ୱିଲ୍‌ଚେୟାର ପ୍ରଦାନ କରାଯାଇଥିଲା। ଏଥିସହ ୨୦ ଜଣଙ୍କୁ ନୂତନ ପେନ୍‌ସନ୍‌ ମଞ୍ଜୁର କରାଯାଇଥିବା ବେଳେ ୩ ଜଣ ଦିବ୍ୟାଙ୍ଗଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅନ୍ୟାନ୍ୟ ଅଧିକାରୀ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ।

ad-week
Leave A Reply

Your email address will not be published.