ସରକାରୀ ବିଦ୍ୟାଳୟରେ ମୌଳିକ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ଚିନ୍ତା ଜନକ…

ଘରୋଇ ବିଦ୍ୟାଳୟ ଗୁଡ଼ିକର ସ୍ବାର୍ଥ ପାଇଁ ସରକାରୀ ସ୍କୁଲ ଗୁଡିକୁ ଅବହେଳା କରାଯାଉଛି: ମଞ୍ଚ

ନିର୍ଭୁଲ ପାଠ୍ୟ ପୁସ୍ତକ ତୁରନ୍ତ ଯୋଗାଣ ସହ ୧୪ ଦଫା ଦାବି ପ୍ରଦାନ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର : ବ୍ରହ୍ମପୁର ସହରର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଶ୍ରେଣୀଗୃହ, ଭିତ୍ତିଭୂମି ଓ ପର୍ଯ୍ୟାପ୍ତ ଶିକ୍ଷକ ଅଭାବ ଦୂର କରିବା ଦାବିରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଜରିଆରେ ପ୍ରଦାନ କରାଯାଇଛି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ବ୍ରହ୍ମପୁର ସହରର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶ୍ରେଣୀଗୃହ, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ, ପାଠାଗାର ଓ ଶିକ୍ଷକ ଅଭାବ ଭଳି ସମସ୍ୟା ରହିଛି। ୧୯୭୦ ମସିହାରେ ସ୍ଥାପିତ ଗୋଇଲୁଣ୍ଡି କ୍ଲଷ୍ଟର ଅଧୀନ ବାଲବାଡ଼ି ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ବିଦ୍ୟାଳୟର ସ୍ଥିତି ଯାଞ୍ଚ କରି ଆବଶ୍ୟକ ସୁବିଧା ଯୋଗାଇବାକୁ ଦାବି କରାଯାଇଛି। ମଞ୍ଚର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଖାଲି ଶିକ୍ଷକ ପଦବୀ ପୂରଣ, ନୂତନ ଶ୍ରେଣୀଗୃହ ନିର୍ମାଣ, ମୌଳିକ ଭିତ୍ତିଭୂମି ଯୋଗାଣ, ନିର୍ଦ୍ଧାରିତ ସମୟରେ ପାଠ୍ୟପୁସ୍ତକ ଓ ଶିକ୍ଷା ସାମଗ୍ରୀ ପ୍ରଦାନ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ରହିଛି। ଏଥିସହ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ଥିବା ଅନ୍ଧବିଶ୍ୱାସ ଓ ଅବୈଜ୍ଞାନିକ ଧାରଣା ସମ୍ବନ୍ଧୀୟ ବିଷୟବସ୍ତୁର ସମୀକ୍ଷା କରି, ସମ୍ବିଧାନର ଅନୁଚ୍ଛେଦ ୫୧A(h)ର ଭାବନା ଅନୁଯାୟୀ ବୈଜ୍ଞାନିକ ମନୋଭାବ, ମାନବିକତା, ଅନୁସନ୍ଧାନ ଓ ସଂସ୍କାର ମନୋଭାବ ବିକାଶକାରୀ ବିଷୟବସ୍ତୁକୁ ଅଧିକ ପ୍ରାଧାନ୍ୟ ଦେବାକୁ ଦାବି କରାଯାଇଛି। ଆର୍ଥିକ ଦୁର୍ବଳ ଓ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ସୁବିଧା ସମ୍ପ୍ରସାରଣ ଏବଂ ଶିକ୍ଷା ବଜେଟ୍ ବୃଦ୍ଧି କରିବାକୁ ମଧ୍ୟ ମଞ୍ଚ ଦାବି କରିଛି। ଏହାସହ ବ୍ରହ୍ମପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦର୍ଶ ଶିକ୍ଷକ ବିନାୟକ ଆଚାର୍ଯ୍ୟଙ୍କ ଜୟନ୍ତୀ ଓ ତିରୋଧାନ ଦିବସରେ ଆସିକା ରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସରକାରୀ ସ୍ତରରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜନ ସହ ବ୍ରହ୍ମପୁର ଗିରି ରୋଡ୍ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ଦାବି କରାଯାଇଛି। ଘରୋଇ ବିଦ୍ୟାଳୟ ଗୁଡ଼ିକର ସ୍ୱାର୍ଥ ପାଇଁ ସରକାରୀ ସ୍କୁଲ ଗୁଡିକୁ ଗୁରୁତର ଭାବେ ଅବହେଳା କରାଯାଉଛି ବୋଲି ମଞ୍ଚ ଦୃଢ଼ ଅଭିଯୋଗ କରିଛି l ସରକାରୀ ବିଦ୍ୟାଳୟର ଗୁଣାତ୍ମକ ଉନ୍ନତି, ସମାନ ଶିକ୍ଷା ସୁଯୋଗ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିୟମିତ ଭାବେ ପ୍ରତ୍ୟେକ ସ୍କୁଲ୍ କୁ ଆକସ୍ମିକ ପରିଦର୍ଶନ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଞ୍ଚ କର୍ମକର୍ତ୍ତା ମାନେ ଦାବି କରିଛନ୍ତି l ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଶିକ୍ଷା,ଶିକ୍ଷାନୁଷ୍ଠାନ ଜନିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା l ଏଥିରେ ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା,ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ସମ୍ପାଦକ ଆର୍. ସତ୍ୟ ନାରାୟଣ ରାଓ, ସାମାଜିକ କର୍ମୀ ଗଗନ ଚାନ୍ଦ ପ୍ରଧାନ,ସମାଜସେବୀ ମନୋଜ କୁମାର ତରାଇ,ସୁରେନ୍ଦ୍ର ନାଥ ପଣ୍ଡା, ବିଜୟ କୁମାର ପାଢୀ, ମହେଶ୍ୱର ବାଡତ୍ୟା, ପ୍ରଶାନ୍ତ କୁମାର ପଣ୍ଡା, ଶିକ୍ଷକ ସଙ୍ଗଠନ ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା, ହୃଷୀକେଶ ପାତ୍ର, ଯୁବନେତା କାହ୍ନୁ ଚରଣ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.