କୋଟପାଡ଼ରେ ମଦ ବନ୍ଦ ଦାବିରେ ହଜାର ହଜାର ମହିଳାଙ୍କ ଥାନା ଘେରାଉ

କୋଟପାଡ଼ : ଅଞ୍ଚଳରେ ବେଆଇନ ମଦ କାରବାର ବନ୍ଦ କରିବା ଦାବିରେ ଆଜି କୋଟପାଡ଼ରେ ମହିଳାମାନଙ୍କର ଏକ ବିରାଟ ଜନଆକ୍ରୋଶ ଦେଖିବାକୁ ମିଳିଛି। ବତାସନା, ଗୀର୍ଲ୍ଲା ଏବଂ ବୋରିଗୁମ୍ମା ବ୍ଲକର ସାନ ପରିଆ ଓ ବଡ଼ପରିଆ ସମେତ ଆଖପାଖ ଅଞ୍ଚଳର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ମହିଳା ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ କୋଟପାଡ଼ ଥାନା ଘେରାଉ କରିଛନ୍ତି।

ଅଞ୍ଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ମହିଳାମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ସେମାନେ କୋଟପାଡ଼ ଥାନା ଅଧିକାରୀ, ତହସିଲଦାର ଏବଂ ଅବକାରୀ ବିଭାଗକୁ ଲିଖିତ ଦାବିପତ୍ର ପ୍ରଦାନ କରି ତୁରନ୍ତ ଏହି ବେଆଇନ କାରବାର ଉପରେ ରୋକ୍ ଲଗାଇବାକୁ ଚେତାବନୀ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଗାଁ ଗଣ୍ଡାରେ ଦୁଆର ମୁହଁରେ କୁଚିଆ ବ୍ୟବସାୟୀଙ୍କ ଜରିଆରେ ଖୁଲମଖୁଲା ବେଆଇନ ମଦ ବିକ୍ରି ଚାଲିଛି। ଏହାଦ୍ୱାରା ଯୁବପିଢ଼ି ପଥଭ୍ରଷ୍ଟ ହେବା ସହ ଗ୍ରାମାଞ୍ଚଳରେ ସାମାଜିକ ବିଶୃଙ୍ଖଳା, ପାରିବାରିକ ଅଶାନ୍ତି, ଦୁର୍ଘଟଣା ଏବଂ ଚୋରି ଭଳି ଅପରାଧ ବୃଦ୍ଧି ପାଉଛି। ମାଫିଆ ଓ ପ୍ରଶାସନିକ ସ୍ତରରେ ଭିତିରିଆ ବୁଝାମଣା ଯୋଗୁଁ ଅବକାରୀ ଓ ପୋଲିସ ବିଭାଗ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ପୂର୍ବରୁ ଘୁମର ପଞ୍ଚାୟତରେ ମଧ୍ୟ ସ୍ଥାନୀୟ ସରପଞ୍ଚଙ୍କ ସମେତ ଶତାଧିକ ମହିଳା-ପୁରୁଷ ଏହି ମଦ କାରବାର ବିରୋଧରେ ପ୍ରତିବାଦ ଜଣାଇ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ। ହେଲେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆଜି ହଜାର ହଜାର ମହିଳା ରାଜରାସ୍ତାକୁ ଓହ୍ଲାଇ ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି। ଅବିଳମ୍ବେ ମଦ କାରବାର ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.