କୋରାପୁଟ ଜିଲ୍ଲାରେ SIR–୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ମୋଟ ଭୋଟର ୯ ଲକ୍ଷ ୮ ହଜାରରୁ ଊର୍ଦ୍ଧ୍ୱ, ଆଗରେ ରହିଛନ୍ତି ମହିଳା

କୋରାପୁଟ : କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SIR–୨୦୨୬) ପ୍ରକ୍ରିୟା ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜାତୀୟ ତଥା ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗତ ୨୧ ସେପ୍ଟେମ୍ବରରେ ଏହି ତାଲିକା ଉନ୍ମୋଚନ କରାଯାଇଛି। ନୂତନ ତାଲିକା ଅନୁସାରେ ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୯,୦୮,୫୬୪ରେ ପହଞ୍ଚିଛି, ଯେଉଁଥିରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ “କୌଣସି ଯୋଗ୍ୟ ଭୋଟର ବାଦ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ସାମିଲ ହେବେ ନାହିଁ” ଆଭିମୁଖ୍ୟ ନେଇ ଗତ ୨୦ ମେ’ ୨୦୨୬ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମେ’ ୩୦ରୁ ଜୁନ୍ ୨୮ ମଧ୍ୟରେ ଘରକୁ ଘର ଯାଇ ଗଣନା କରାଯିବା ପରେ ଜୁଲାଇ ୫ରେ ଖସଡ଼ା ତାଲିକା ପ୍ରକାଶ ପାଇଥିଲା। ସେତେବେଳେ ଜିଲ୍ଲାରେ ମୋଟ ୯,୦୪,୧୩୪ ଭୋଟର ଥିଲେ। ପରବର୍ତ୍ତୀ ସମୟରେ ଜୁଲାଇ ୫ରୁ ସେପ୍ଟେମ୍ବର ୧୭ ମଧ୍ୟରେ ଦାବି ଓ ଆପତ୍ତି ଶୁଣାଣି ପର୍ଯ୍ୟାୟ ଚାଲିଥିଲା। ଏହି ସମୟରେ AERO ସ୍ତରରେ ମୋଟ ୨,୧୨,୨୮୧ ଜଣଙ୍କୁ ଚିହ୍ନଟ କରାଯାଇ ଅଗଷ୍ଟ ୩୦ ସୁଦ୍ଧା ଶତପ୍ରତିଶତ ଶୁଣାଣି ଶେଷ ହୋଇଥିଲା। ଏଥିରୁ ୪୨,୮୭୭ ଜଣ ୨୦୦୨ର SIR ସହ ମ୍ୟାପ୍ ହୋଇନଥିବା ବେଳେ ୧,୬୯,୪୦୪ ଜଣଙ୍କ ନାମ, ବୟସ, ଠିକଣା ଆଦିର ତ୍ରୁଟି ସଂଶୋଧନ କରାଯାଇଥିଲା। ଏହି ସମୟରେ ଫର୍ମ-୬ ମାଧ୍ୟମରେ ୫,୬୮୫ ଜଣ ନୂତନ ଭୋଟର ସାମିଲ ହୋଇଥିବା ବେଳେ ମୃତ୍ୟୁ, ସ୍ଥାନାନ୍ତର ଓ ନକଲି ତଥ୍ୟ ଯୋଗୁଁ ୧,୨୫୫ ଜଣଙ୍କ ନାମ ବାଦ୍ ଦିଆଯାଇଛି।

ଚୂଡ଼ାନ୍ତ ତାଲିକା ଅନୁସାରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଲକ୍ଷ୍ମୀପୁରରେ ୧,୬୪,୪୭୭, କୋଟପାଡ଼ରେ ୧,୯୮,୨୧୫, ଜୟପୁରରେ ୧,୯୪,୮୫୬, କୋରାପୁଟରେ ୧,୭୪,୪୫୦ ଏବଂ ପଟ୍ଟାଙ୍ଗୀରେ ୧,୭୬,୫୬୬ ଜଣ ଭୋଟର ରହିଛନ୍ତି। ସମୁଦାୟ ୯,୦୮,୫୬୪ ଭୋଟରଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୪,୬୬,୯୧୯ (୫୧.୩୯%), ପୁରୁଷ ଭୋଟରଙ୍କ ସଂଖ୍ୟା ୪,୪୧,୫୭୨ (୪୮.୬୦%) ଏବଂ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୭୩ ରହିଛି।

ନାଗରିକମାନେ ନିଜ ନିଜ ବୁଥ୍‌ ଲେଭେଲ୍‌ ଅଫିସର (BLO) କିମ୍ବା CEO Odishaର ୱେବସାଇଟ୍ ମାଧ୍ୟମରେ ନିଜ ନାମ ଯାଞ୍ଚ କରିପାରିବେ। ଯଦି କୌଣସି ଭୋଟର ଶୁଣାଣି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥାଆନ୍ତି, ତେବେ ତାଲିକା ପ୍ରକାଶର ୧୫ ଦିନ ମଧ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରଥମ ଅପିଲ କରିପାରିବେ। ଏହାପରେ ମଧ୍ୟ ଅସନ୍ତୁଷ୍ଟ ଥିଲେ ଜିଲ୍ଲାପାଳଙ୍କ ଆଦେଶର ୩୦ ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିକଟରେ ଦ୍ୱିତୀୟ ଅପିଲ ଦାଖଲ କରିବାର ସୁବିଧା ରହିଛି। ସମଗ୍ର ପ୍ରକ୍ରିୟାରେ ବିଭିନ୍ନ ରାଜନୈତିକ ଦଳର ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ମାନେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.