ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଓ ବାଲିମେଳା ପ୍ରୋଜେକ୍ଟ ୱାର୍କର୍ସ ୟୁନିଅନ୍ ର ମିଳିତ ଉଦ୍ୟମରେ ଜିଲ୍ଲାର ଉପାନ୍ତ ବ୍ଲକ୍ ଚିତ୍ରକୋଣ୍ଡା ଠାରେ ୩୧ ତମ ସାଧାରଣ ସମ୍ମିଳନୀ ଜରିଆରେ ମଇ ଦିବସ ପାଳିତ ହୋଇଛି । ଶ୍ରମିକ ଦିବସ ଉପଲକ୍ଷେ ସହର ପରିକ୍ରମା ପରେ ୧୪ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଅଧିକାରୀ,ଚିତ୍ରକୋଣ୍ଡାଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ହଜାର ହଜାର ଶ୍ରମିକ,କୃଷକ,ଦଳିତ,ନାରୀ ତଥା ଆଦିବାସୀ ଏକତ୍ରିତ ହୋଇ ଆଦିବାସୀ ବିରୋଧୀ ସରକାର ଏବଂ ପ୍ରଶାସନ କୁ ସମାଲୋଚନା କରିଛନ୍ତି। ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ସାନ ଫାର୍ମ ଠାରେ ବୈଠକର ଆୟୋଜନ ହୋଇଥିଲା ଯାହାର ଅଧ୍ୟକ୍ଷତା ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲରାଜୁ ଗେମେଲ୍ ଏବଂ ବିଦେଶୀ ଗୌଡ଼ କରିଛନ୍ତି। ଓଡ଼ିଶା ରାଜ୍ୟରେ ବେରୋଜଗାର ଏକ ଉତ୍କଟ ସମସ୍ୟାର ରୂପ ନେଇଥିବା ଅବସରରେ ମୁଖ୍ୟତଃ ମାଲକାନଗିରି ଜିଲ୍ଲାରୁ ଝାଡ଼ଖଣ୍ଡ,ଛତିଶଗଡ଼,ଆନ୍ଧ୍ରପ୍ରଦେଶ ଭଳି ଅନ୍ୟ ରାଜ୍ୟରେ ବେଠୀ,କୁଲି,ଦାଦନ ଶ୍ରମିକ ଭାବେ କିଭଳି ନିୟୋଜିତ ହୋଇଛନ୍ତି,ଆଦିବାସୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ରଖି ସମ୍ବିଧାନର ପଞ୍ଚମ ଅନୁସୂଚୀର ଖୋଲା ଖୋଲି କିପରି ଉଲ୍ଲଙ୍ଘନ ପ୍ରକ୍ରିୟା ଜାରି ରହିଛି,କିଭଳି ଜଳ ଜଙ୍ଗଲ ଜମିରୁ ଆଦିବାସୀଙ୍କୁ ବେଦଖଲ କରି କମ୍ପାନୀ ପୁଞ୍ଜିପତି ବର୍ଗଙ୍କୁ ଶାଗ ମାଛ ଦରରେ ବିକ୍ରି କରିବାର ହୀନ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ରକୁ ସରକାର ଓ ପ୍ରଶାସନର ମିଳିତ ପ୍ରୟାସରେ ଚାଲୁ ରହିଛି ସେ ସବୁ ସମ୍ପର୍କିତ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଏତଦ୍ ବ୍ୟତୀତ ଓଡ଼ିଶା ଇତିହାସରେ କାଶୀନଗର, କଳିଙ୍ଗନଗର, ଉମରକୋଟ(ରାଇଘର) ଭଳି ବିଭିନ୍ନ ଗଣ ଆନ୍ଦୋଳନରେ ପ୍ରାଣ ହରାଇଥିବା ଅମର ଶହୀଦଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ କୃଷକ ନେତା ଲିଙ୍ଗରାଜ, ଓଡ଼ିଶା ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ ଜିଲ୍ଲା ଆଦିବାସୀ ସଂଘ ଉପଦେଷ୍ଟା ବିଜୟ ଉପାଧ୍ୟାୟ, ଇନ୍ଦ୍ରାବତୀ ବନ୍ଧ ଯୋଜନାର ଶ୍ରମିକ ନେତା ଦେବେନ୍ଦ୍ର ଜଗନ୍ନାଥ ନାୟକ,ଜିଲ୍ଲା କୃଷକ ସଂଗଠନ ସଭାପତି ସନୁ ଅନୁଗୁ,ଦଳିତ ନେତା ଘେନୁ ମୁଦୁଲି,କୋରୁକୋଣ୍ଡା ୨ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ,ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ କମଳସାଇ ମାଝି ପ୍ରଭୃତି ସଭାପତି ମଣ୍ଡଳ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ।

