ହାତିମୁଣ୍ଡା (ଗୁଡ୍ରିଗୁଡା)ର ୫ ଅନାଥ ଶିଶୁଙ୍କୁ ଥଇଥାନ କଲା ପ୍ରଶାସନ

add-all

ଦାରିଙ୍ଗବାଡି,୧୧/୫ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମର ୫ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା କରିଛି । ଏହି ୫ ଅନାଥ ଶିଶୁଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ତାଜୁଙ୍ଗିଆ ଅଙ୍ଗନବାଡି ସୁପରଭାଇଜର ସ୍ୱର୍ଣ୍ଣପ୍ରଭା ପ୍ରଧାନ ସହ ଏକ ଟିମ ହାତୀମୁଣ୍ଡା (ଗୁଡ୍ରିଗୁଡା)ଗ୍ରାମ ସ୍ଥିତ ଅନାଥ ପିଲାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବୁଧବାର ଦିନ ଅନାଥ ୪ ଜଣ ଝିଅ ଓ ଜଣେ ପୁଅକୁ ଉଦ୍ଧାର କରି ଫୁଲବାଣୀ ସ୍ଥିତ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଥିଲା । ହସ୍ତାନ୍ତର କରିବା ସମୟରେ ବିଡିଓ ଗଦାଧର ପାତ୍ର ଓ ତହସିଲଦାର ଚାର୍ଲସ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନାରେ ଦିଆଯାଇନଥିବା ୨ ହଜାର ଟଙ୍କା ବିଡିଓ ପିଲାମାନଙ୍କୁ ପ୍ରଦାନ କରିଥିଲେ । ବାସନ୍ତୀ ସୁନାମାଝୀ, ଲିସା ସୁନାମାଝୀ, ଲିନା ସୁନାମାଝୀ ଓ ନିକି ସୁନାମାଝୀଙ୍କୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିରେ ଥଇଥାନର ବ୍ୟବସ୍ଥା କରାଯାଇଥିବା ବେଳେ ୧ ବର୍ଷର ଶିଶୁ ପୁତ୍ରକୁ ରାଇକିଆ ସ୍ଥିତ ଏସଟି କାଥେରେନ ଗୃହରେ ଥଇଥାନ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ, ବାପା, ମାର ମୃତ୍ୟୁପରେ ୪ ଜଣ ଝିଅ ଓ ଜଣେ ୧ ବର୍ଷର ପୁଅ ଅନାଥ ହୋଇଯାଇଥିଲେ । ବାପା ମାଆଙ୍କ ମୃତ୍ୟୁପରେ ପିଲାଙ୍କ ପାଠପଢା ବନ୍ଦ ହୋଇଯାଇଥିବା ସହ ପରିବାର ଚଳିବାରେ ବହୁ ସମସ୍ୟା ଦେଖାଦେଇଥିଲା। ଏଭଳି ସମସ୍ୟା ଦେଖି ସ୍କୁଲ ଛାତ୍ରଛାତ୍ରୀ, ବିସିକେସନ ପ୍ରଧାନ ଓ ଗୋବିନ୍ଦ ରଣସିଂ ଙ୍କ ସହଯୋଗ କ୍ରମେ କିରାମାହା ଗ୍ରାମ ଓ ବ୍ରାହ୍ମଣୀଗାଁ ବଜାର ବୁଲି ସ୍କୁଲ ଛାତ୍ରଛାତ୍ରୀ ଟଙ୍କା ଏକାଠି କରି ଏହି ୫ ଅନାଥ ପିଲାଙ୍କୁ ୫୦ କିଲୋ ଚାଉଳ ସହ ୫ ହଜାର ଟଙ୍କା ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.