ଅଧିକାରୀଙ୍କର ଅହଂକାର ବଢ଼ିଯାଇଛି, ଅଙ୍କୁଶ ଲାଗିବା ଦରକାର: ସୌମ୍ୟ ରଞ୍ଜନ ପଟ୍ଟନାୟକ

add-all

ଭୁବନେଶ୍ବର: ରାଜ୍ୟରେ ସରକାରୀ ଅଧିକାରୀଙ୍କର ଅହଂକାର ବଢ଼ିଯାଇଛି। ଏହା ଉପରେ ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ବିପଦରେ ପଡ଼ିବ। ଆଜି ବିଧାନସଭାର ଶୂନ୍ୟକାଳରେ ବିଜେଡି ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି । ଶୂନ୍ୟକାଳରେ ବିବୃତ୍ତି ରଖି ସୌମ୍ଯ କହିଛନ୍ତି, ‘ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ’ ?

ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢୁଥିବା ନେଇ ସୌମ୍ୟଙ୍କ ପ୍ରଶ୍ନରେ ସରକାରୀ ଅଧିକାରୀ ରଖିଥିବା ତଥ୍ୟକୁ ନେଇ ସୌମ୍ଯ ଉଦବେଗ ପ୍ରକାଶ କରିଛନ୍ତି । ସରକାରୀ ଅଧିକାରୀମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ । ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି ବୋଲି ସୌମ୍ଯ କହିଛନ୍ତି ।

ସରକାରୀ ଅଧିକାରୀମାନେ କାହିଁକି ମିଛ କହୁଛନ୍ତି । ଓଡ଼ିଶାରେ ଅପେକ୍ଷାକୃତ ଭାବେ ମଦ୍ୟପାନ ହାର ବଢ଼ୁଛି। ଏ ସମ୍ପର୍କିତ ପ୍ରଶ୍ନରେ ଅଫିସରଙ୍କଠାରୁ ତଥ୍ୟ ସଂଗ୍ରହ କରି ମନ୍ତ୍ରୀ କହିଲେ ଭୁବନେଶ୍ୱରରେ ମଦ୍ୟପାନ ହାର ବଢ଼ୁନି। ଏହାର ଅର୍ଥ ମୁଁ ମିଛ କହୁଛି। ମୁଁ ମିଛୁଆ ବିଧାୟକ ହୋଇ ରହିବାକୁ ଚାହୁଁନାହିଁ। ମୁଁ ସେମିତି କିଛି ଭ୍ରମାନ୍ତକ ତଥ୍ୟ ଦେଇନାହିଁ। ସବୁଠାରୁ ଉଦ୍‌ବେଗର କଥା ହେଲା- ଜାତୀୟ ହାର ଅପେକ୍ଷା ଓଡ଼ିଶାରେ ମଦ୍ୟପାନ ହାର ବଢ଼ୁଛି। କିଛି ଲୋକ ଏହାକୁ ବିକାଶର ଏକ ଲକ୍ଷଣ ବୋଲି କହିପାରନ୍ତି। କିନ୍ତୁ ତାମିଲନାଡୁ ଓ କେରଳ ପରି ରାଜ୍ୟରେ ମଦ୍ୟପାନ ହାର କମୁଥିବା ବେଳେ ଓଡ଼ିଶାରେ ବ‍ଢ଼ିବାଟା ଆଦୌ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।

ସାରା ଭାରତରେ ମହିଳା ମଦ୍ୟପାନ ହାର ୧.୨%ରେ ଥିବା ବେଳେ ଓଡ଼ିଶାରେ ୪.୩% ରହିଛି। ଏହାର ଅର୍ଥ ପାଖାପାଖି ୪ ଗୁଣ ଅଧିକ ମହିଳା ପୂର୍ବ ଅପେକ୍ଷା ମଦ୍ୟପାନ କରୁଛନ୍ତି। ଏ ରିପୋର୍ଟ ଆମର ନୁହେଁ, ଭାରତ ସରକାରଙ୍କର। ଏ ବିଷୟରେ ରାଜ୍ୟ ସରକାର ସଚେତନ ହେବା ଦରକାର ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ କହିଛନ୍ତି।

ad-week
Leave A Reply

Your email address will not be published.