
ଦାରିଙ୍ଗବାଡ଼ି ୬/୭, ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ବନାଞ୍ଚଳ ତରଫରୁ ୭୩ତମ ବନ ମହୋତ୍ସବ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଓ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବନପାଳ ଓ ବନ ରକ୍ଷୀଙ୍କ ସହାୟତାରେ ବ୍ଲକ ଅଞ୍ଚଳର ବିଭିନ୍ନ ରାସ୍ତା ପାର୍ଶ୍ଵରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି। ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, ଗ୍ରାମ୍ୟ ମୁଖିଆ, ବିଭିନ୍ନ ସଂଗଠନର ସଦସ୍ୟ, ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍କୁଲ କଲେଜର ଛାତ୍ରଛାତ୍ରୀ ସହିତ ଗଣ ମାଧ୍ୟମ ପ୍ରତିନିଧି ମାନେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ପ୍ରାୟତଃ ରାସ୍ତାର ଉଭୟ ପାର୍ଶ୍ଵରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷଚାରା ରୋପଣ ସହିତ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଉଛି। ଦାରିଙ୍ଗବାଡି ବନାଞ୍ଚଳର ଅଧିନ ଅଞ୍ଚଳରେ ୩୭ହଜାର ୭୫୦ ଚାରା ରୋପଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ପ୍ରଦାନ କରିଛନ୍ତି।