
ଦାରିଙ୍ଗବାଡ଼ି, (୧୧/୭) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଭିନ୍ନ କିସମର ବୃକ୍ଷ ଚାରାର ସ୍ୱତନ୍ତ୍ର ଷ୍ଟଲ ପ୍ରସ୍ତୁତ କରାଯାଇ ବିଭିନ୍ନ କିସମର ଚାରା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସୋମବାର ହାଟବାର ଥିବାରୁ ଚାରା ବିତରଣ କେନ୍ଦ୍ରର ଉଦ୍ଘାଟିନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ ଯୋଗ ଦେଇଥିଲେ। ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକ, କାଟିଙ୍ଗିଆ ବନପାଳ ମନୋରଞ୍ଜନ ପରିଛା, ବ୍ରାହ୍ମଣୀଗାଁ ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ ସମେତ ବନାଞ୍ଚଳ ର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକ ପୂଜାର୍ଚ୍ଚନାର କରି ଥିବା ବେଳେ ସରପଞ୍ଚ ଶ୍ରୀମତୀ ମଲ୍ଲିକ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ ନର୍ସରୀରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ କିସମର ବୃକ୍ଷ, ଫଳଗଛ ଚାରା ଗୁଡ଼ିକୁ ମାତ୍ର ଏକ ଟଙ୍କା ମୂଲ୍ୟ ରେ ଜନସାଧରଙ୍କୁ ବିତରଣ କରିବା ଆରମ୍ଭ ହୋଇଛି । ଏହି ବର୍ଷ ଉନ୍ନତ ମାନର ଚାରା ପ୍ରସ୍ତୁତ କରାଯାଇଥିବାରୁ ଏହାର ଚାହିଦା ବଢ଼ିଛି, ଅତି ଆଗ୍ରହରେ ଅଞ୍ଚଳ ବାସୀ ଚାରା ନେଉଥିବା ବେଳେ ସୋମବାର ହାଟ ବାର ଥିବାରୁ ବେସ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ବିଶେଷ କରି ଆମ୍ବ ,ପଣସ,ପିଜୁଳି, ଅମୃତ ଭଣ୍ଡା, ଡାଲିମ୍ବ, ଲେମ୍ବୁ,ସିତା ଫଳ, ନରକୋଳି, ଲିଚୁ ଆଦି ଫଳଗଛ ସହ ଦେବଦାରୁ, ମହୁଲ, ଅଁଳା, ହରିଡ଼ା, ବହାଡ଼ା, କଦମ୍ବ ,ଜାମୁକୋଳି, ନିମ୍ବ ଆଦି ବିଭିନ୍ନ କିସମର ପ୍ରାୟ ୮୦ ପ୍ରକାରର ଚାରା ପ୍ରସ୍ତୁତ କରାଯାଇ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପ୍ରୟାସ ଜାରି ରଖିଛି ବନବିଭାଗ। ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମଲ୍ଲିକ ନିଜ ନିଜର ଇଚ୍ଛା ଅନୁଯାଇ ଚାରା ନେଇ ନିଜ ବାଡ଼ି ବଗିଚା ରେ ରୋପଣ କରିବାକୁ ନିଜ ପଞ୍ଚାୟତ ବାସୀଙ୍କୁ ନିବେଦନ କରିଛନ୍ତି। ଏହି ବର୍ଷ ୫୦ ହଜାର ରୁ ଅଧିକ ଚାରା ବିତରଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆବଶ୍ୟକ ହେଲେ ଆହୁରି ଅଧିକ ଚାରା ଯୋଗାଇ ଦିଆଯିବ ବୋଲି ବନାଞ୍ଚଳ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମ ଟି ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।