ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଲହୁଣୀପଡ଼ା ଗସ୍ତ

add-all

ସୁନ୍ଦରଗଡ଼/ବଣାଇଁ, ୧୨ ଜୁଲାଇ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ବ୍ଲକରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ସୋମବାର ଦିନ ସେ ଲହୁଣୀପଡ଼ା ବ୍ଲକ ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ସ୍ଥାନରେ ହିତାଧିକାରୀମାନଙ୍କୁ ଭେଟି କଥାବାର୍ତ୍ତା କରିଥିଲେ।

ଲହୁଣୀପଡ଼ା, ଗୁରୁଣ୍ଡିଆ ଏବଂ କୋଇଡ଼ା ବ୍ଲକର ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବା ଲାଗି ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି। ଏହା ଅଧୀନରେ ଲହୁଣୀପଡ଼ା ବ୍ଲକର ଲଲେଇଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଜିଲ୍ଲାପାଳ ବୁଲି ଦେଖିଥିଲେ। ବ୍ରାହ୍ମଣୀ ନଦୀରୁ ଉଠାଯାଉଥିବା ପାଣିକୁ ଏଠାରେ ବିଶୋଧନ କରାଯାଇ ପାଇପ ଯୋଗେ ଗାଁ ଗାଁରେ ପହଞ୍ଚା ଯାଉଛି।

ଜିଲ୍ଲାପାଳ ଆଦିମ ଜନଜାତି ପାଉଡ଼ି ଭୂୟାଁ ଅଞ୍ଚଳକୁ ଯାଇଥିଲେ। ସ୍ଥାନୀୟ ରଞ୍ଜ ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସେ ଦେଖିବା ସହ ସେଠାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷଦାନ ଓ ସ୍କୁଲର ପରିବେଶ ବିଷୟରେ କଥା ହୋଇଥିଲେ।

ସେହିପରି ସ୍ଥାନୀୟ ଲୋକମାନଙ୍କ ସୁବିଧା ପାଇଁ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ପକ୍ଷରୁ ରହିଥିବା ସୂଚନା କେନ୍ଦ୍ର ସହିତ ନବନିର୍ମିତ ରାସ୍ତା ଓ କଲଭଟ୍ ଆଦି ଦେଖିଥିଲେ। ଏହାସହ ସେ ସ୍ଥାନୀୟ ଲୋକମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ଏହି ଗସ୍ତ ଅବସରରେ ଜିଲ୍ଲାପାଳ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଏହାର ଭିତ୍ତିଭୂମି ବୁଲି ଦେଖିଥିଲେ। ପୁରୁଷ ଓ ମହିଳା ରୋଗୀଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ୱାର୍ଡ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ଲାଗି କ’ଣ ବ୍ୟବସ୍ଥା ରହିଛି ତାହା ଦେଖିଥିଲେ।

ଏହାପରେ ସେ ଲହୁଣୀପଡ଼ା ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ରରେ ରହିଥିବା ଫିଜିଓଥେରାପି ଓ ଆନୁଷଙ୍ଗିକ ସେବାର ଅନୁଧ୍ୟାନ କରିଥିଲେ। ଭିନ୍ନକ୍ଷମଙ୍କ ପୁନର୍ବାସ ଲାଗି ଯେଉଁମାନଙ୍କର ରୋବୋଟିକ୍ ଫିଜିଓଥେରାପି ଚିକିସା ବା କୃତ୍ରିମ ଅଙ୍ଗର ଆବଶ୍ୟକତା ରହିଛି ସେମାନଙ୍କୁ ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ପଠାଇବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷିତ ମାତୃତ୍ୱ ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମା’ଗୃହ ପ୍ରତିଷ୍ଠା କରାଯାଇଛି। ଲହୁଣୀପଡ଼ା ବ୍ଲକର ପୋଇଗାଁଠାରେ ଥିବା ମା’ଗୃହ ପରିଦର୍ଶନରେ ଯାଇ ଜିଲ୍ଲାପାଳ ସେଠାରେ ଗର୍ଭବତୀ ଏବଂ ପ୍ରସୂତି ମା’ମାନଙ୍କ ସେବା ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ରୂପାନ୍ତରିତ ଖୁଣ୍ଟଗାଁ ସରକାରୀ ହାଇସ୍କୁଲ ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ସେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ପାଠାଗାର, କମ୍ପ୍ୟୁଟର ଲ୍ୟାବ ଆଦି ବୁଲି ଦେଖିଥିଲେ। ଏହି ନୂତନ ବ୍ୟବସ୍ଥା କିପରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ସେଦିଗରେ ପିଲାଙ୍କ ସହ ସେ କଥା ହୋଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର। ତେଣୁ ଟସର ଖୋସାରୁ ସୂତା ବାହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଲହୁଣୀପଡ଼ା ବ୍ଲକର ଖୁଣ୍ଟଗାଁଠାରେ ଏକ ଅତ୍ୟାଧୁନିକ ଟସର ସିଲ୍କ ପାର୍କ ପ୍ରତିଷ୍ଠା କରାଯାଉଛି। ଜିଲ୍ଲାପାଳ ଏହି ଟସର ସିଲକ ପାର୍କର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ।

ବରସୁଆଁ ରେଲୱେ ସାଇଡିଂ ଓ ଖଣି ଅଞ୍ଚଳକୁ ଯାଇ ସେଠାରେ କାର୍ଯ୍ୟରତ ଖଣି ଓ ନିର୍ମାଣ ଶ୍ରମିକଙ୍କୁ ଜିଲ୍ଲାପାଳ ଭେଟିଥିଲେ। ସେମାନଙ୍କ ନିରାପତ୍ତା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଥିବା ସୁରକ୍ଷା କିଟର ବ୍ୟବହାର ବିଷୟରେ ଶ୍ରମିକମାନଙ୍କ ସହ ସେ କଥା ହୋଇଥିଲେ। ଶ୍ରମଜୀବୀଙ୍କ ସୁରକ୍ଷା ଲାଗି ଆଉ କ’ଣ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ମଧ୍ୟ ସେମାନଙ୍କ ମତାମତ ଲୋଡ଼ିଥିଲେ।

ଏହି ଗସ୍ତ ବେଳେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଲହୁଣୀପଡ଼ା ତହସିଲଦାର ମୁରଲୀଧର ଉର୍ମାଲ, ବିଡିଓ ଧନାଇ ଚରଣ ଟୁଡୁଙ୍କ ସହିତ ଡିଏମଏଫ ଏବଂ ଓମ୍ବାଡସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.