
ସୁନ୍ଦରଗଡ଼ : ବଡ଼ଗାଁ ବ୍ଲକ କାର୍ଯ୍ୟାଳୟଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଉପସ୍ଥିତ ରହି ଲୋକମାନଙ୍କର ବିଭିନ୍ନ ଆପତ୍ତି, ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମରେ ଆସିଥିବା ମୋଟ ୬୯ଟି ଅଭିଯୋଗ ଭିତରୁ ଜିଲ୍ଲାପାଳ ତୁରନ୍ତ ୯ଟି ସମସ୍ୟାର ସମାଧାନ କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକୁ ବିଚାର କରି ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବଡଗାଁ ବ୍ଲକର ୧୫ଟି ଗ୍ରାମପଞ୍ଚାୟତର ଜନସାଧାରଣ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ନେଇ ଆସିଥିଲେ। ସେଥିମଧ୍ୟରେ ରହିଥିଲା ଚିକିତ୍ସା ସେବା, ଭତ୍ତା, ରାସ୍ତାଘାଟ, ରାସନ କାର୍ଡ, ଆଧାର କାର୍ଡ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, କମ୍ୟୁନିଟି ସେଣ୍ଟର ନିର୍ମାଣ, ଆବାସ ଯୋଜନାରେ ଘର, ମୋବାଇଲ ନେଟୱର୍କ ଆଦି ସମସ୍ୟା।

ଏହାସହ ବଡ଼ଗାଁ ବ୍ଲକର ଦୁଇ ଜଣ ହିତାଧିକାରୀ ଅଧିକ ଚିକିତ୍ସା ସେବା ପାଇଁ ସହାୟତା ରାଶି ଲାଗି ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ। ଜନ ଶୁଣାଣି ବେଳେ ଏହିସବୁ ସମସ୍ୟାର ସମାଧାନ କରାଯାଇଥିଲା।
ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣୀ ନାଏକ, ବଡଗାଁ ବିଡିଓ କ୍ଷମାନିଧି ଭୋଇଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼