
ମାଲକାନଗିରି(୨।୮) : ବର୍ତ୍ତମାନ ବର୍ଷା ଲାଗି ରହିଥିବା କାରଣରୁ ଗାଁ ଗହଳି ଓ ସହର ବଜାରରେ ଥିବା ନାଳ ନର୍ଦ୍ଦମା ପାଣି ଜମିବା ଫଳରେ ଏଡିସ ମଶାର ବଂଶ ବୃଦ୍ଧି କାରଣରୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା ସହ ସମସ୍ତ ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି କ୍ରମରେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜ୍ୱରକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେଥିପାଇଁ ପ୍ରତ୍ୟକ ଗାଁ ଗହଳିରେ ଶୋଭାଯାତ୍ରା ମାଧ୍ୟମରେ ଲୋକ ମାନଙ୍କୁ ସଚେତନତା କରାଯାଉ ଥିବା ଦେଖିବାକୁ ମିଳିଛି। ତେବେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ସୁରେଶ ବାରିକଙ୍କ ନେତୃତ୍ୱରେ ଖଇରପୁଟ ଅଞ୍ଚଳରେ ଡେଙ୍ଗୁ ଜ୍ୱର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସଚେତନତା ମାଧ୍ୟମରେ କିପରି ଏଡିସ ମଶାକୁ ଘଉଡାଇବା ପାଇଁ ବାର୍ତ୍ତା ଦିଆଯାଇଥିବା ବେଳେ ବିଶେଷ କରି ବାଡ଼ିରେ ପଡିଥିବା ବିଭିନ୍ନ ଅଦରକାରୀ ହାଣ୍ଡି , ଗ୍ଲାସ ଓ ଥାଳି, ପଇଡ଼ ଖୋଳପା, ଟିଣ ଡବା କିମ୍ବା ଘରେ ଥିବା ଫୁଲ କୁଣ୍ଡ, ଛାତ ଉପରେ ଥିବା ପାଣି ଟାଙ୍କି ସହ ଘର ଆଖ ପାଖରେ ଜମି ଥିବା ସ୍ୱଳ୍ପ ଓ ଅଳ୍ପ ପାଣିରେ ଏହି ମସା ଡିମ୍ବ ଦେବାର ସମ୍ଭାବନା ଥିବାରୁ ସେଗୁଡିକୁ ସଫେଇ କରିବା ପାଇଁ ବୁଝା ଯାଇଛି । ମଶା କାମୁଡାରୁ ରକ୍ଷା ପାଇବା ପାଇଁ ନିୟମିତ ମସାରି ଓ ଅନ୍ୟାନ୍ୟ ମଶା ନିବାରଣ ଦ୍ରବ୍ୟ ବ୍ୟବହାର କରିବା ସହ ଦେହ, ହାତ ଗୋଡକୁ ସମ୍ପୂର୍ଣ୍ଣ ଗୋଢାଇ ରଖି ପାରୁଥିବା ଭଳି ପୋଷାକ ପିନ୍ଧିବାକୁ ଲୋକଙ୍କୁ ବାର୍ତ୍ତା ଦିଆଯାଇଛି । ଏହାସହ ଜ୍ୱର ସହ ହାତ ଗୋଡ଼ ଗଣ୍ଠି ଯନ୍ତ୍ରଣା ହେଲେ ଓ ଆକ୍ଷି ପଛ ପଟେ ଭୀଷଣ ଯନ୍ତ୍ରଣା ଅନୁଭବ ହେଉଥିଲେ ତୁରନ୍ତ ନିକଟସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇ ନେବା ପାଇଁ ଲୋକ ମାନଙ୍କୁ ସଚେତନତା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଲିଙ୍ଗରାଜ ସେନାପତି, ପିଏଚଇଓ କେ.ଟି.ଭି.ଆର. ଦୋରାଙ୍କ ସମେତ ସେକ୍ଟର ସୁପରଭାଜର, ବହୁ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସମସ୍ତ ଆଶା କର୍ମୀ ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ଦେଖିବାକୁ ମିଳିଥିଲା।