
ଛତ୍ରପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଗୁରୁଜୀ, ଗୁରୁମାଙ୍କୁ ନେଇ ଏକ ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଅଂଶ କରିବା ସହ ବିଜୟୀ ଗୁରୁଜୀ, ଗୁରୁମାଙ୍କୁ ପରିଚାଳନା ସମିତିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସଭାପତି ଶ୍ରୀ ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟା ଭାରତୀ ତଥା ଶିକ୍ଷା ବିକାଶ ସମିତି, ଓଡିଶା ଅନ୍ତର୍ଗତ ଦକ୍ଷିଣ – ପୂର୍ବ ସମ୍ଭାଗ ର ସହ ବିଭାଗ ନିରୀକ୍ଷକ ଶ୍ରୀ ପଦ୍ମନାଭ ସାମଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରଦୀପ ପ୍ରଜ୍ଜଳନ କରି ଶିଶୁଙ୍କୁ ଆଜାଦୀର ଅମୃତ ମହୋତ୍ସବ ବିଷୟରେ ଅବଗତ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଶତପଥୀ ଶିଶୁଙ୍କୁ ରାକ୍ଷୀ ପୂର୍ଣ୍ଣିମାର ପୈାରାଣିକ ତତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଇତ୍ୟବସରରେ ବିଦ୍ୟାଳୟର ଶିଶୁ ଭାଇ, ଭଉଣୀ ମାନେ ପରସ୍ପର କୁ ସ୍ନେହର ରକ୍ଷୀ ବାନ୍ଧିବା ସହ , ଗୋ ପୂଜନ, ବୃକ୍ଷ ପୂଜନ, ନଗରୀୟ ଅତିଥି, ଅଧିକାରୀ ମାନଙ୍କୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆଦି କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ପଦ୍ମଚରଣ ସାହୁ, ଯୁଗ୍ନ ସମ୍ପାଦକ ଶ୍ରୀ ଦିଲ୍ଲିପ ବେହେରା, କୋଷାଧ୍ୟକ୍ଷ ଶ୍ରୀ ଏ. ରାବଣା ରାଓ, ସଦସ୍ୟ ଶ୍ରୀ ରାମ ପ୍ରସାଦ ପଟ୍ଟନାୟକ ଏବଂ ମାତୃ ଭାରତୀର ସଦସ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା , ଅଭିଭାବକ, ଅଭିଭାବିକା ସହଯୋଗ କରିଥିଲେ । ପରିଶେଷରେ ଶିଶୁ ଭାଇ, ଭଉଣୀ ମାନଙ୍କୁ ମିଷ୍ଠାନ ବଂଟନ କରାଯାଇଥିଲା ।