
ଦାରିଙ୍ଗବାଡ଼ି, (୧୩/୮) : ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦ୍ଵିତୀୟ ବୃହତ୍ତମ ବଜାର ଭାବେ ବ୍ରାହ୍ମଣୀଗାଁ ବଜାର ପରିଚିତ। ବ୍ରାହ୍ମଣୀଗାଁ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମାଲିକ ଙ୍କ ନେତୃତ୍ୱରେ ସ୍ବେଛାସେବୀଙ୍କ ସହଯୋଗରେ ଗତକାଲି ବଜାରର ଜନ ଗହଳି ହେଉଥିବା ଛକ ସହିତ ବଜାରର ବିଭିନ୍ନ ଦୋକାନ ସମ୍ମୁଖରେ ଡଷ୍ଟବିନ ସ୍ଥାପନ କରାଯାଇଥିବା ଖବର ହସ୍ତଗତ ହୋଇଛି। ବଜାରୀ କରଣ ଦୃଷ୍ଟିରୁ ଏହି ବଜାର ଉପରେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ୮ଟି ଗ୍ରାମ ପଂଚାୟତ ବାସୀ ଯଥା କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ଗଦାପୁର, ସରାମୁଳି, ତାଜୁଙ୍ଗି ଓ ହାତିମୁଣ୍ଡା ଗ୍ରାମ ପଂଚାୟତ ବାସୀଙ୍କ ସହିତ ଗଜପତି ଜିଲା ମୋହନା ବ୍ଲକ ଅଧିନସ୍ତ ତିନୋଟି,ରାୟଗଡ଼ା ଜିଲା ଚଦ୍ରପୁର ବ୍ଲକ ଅଞ୍ଚଳର କିଛି ଓ ଗଞ୍ଜାମ ଜିଲା ସୋରଡା ବ୍ଲକ ଅଧିନସ୍ତ ସଲିମାଗୋଛା ପଂଚାୟତ ବାସୀ ନିର୍ଭର କରି ଆସୁଛନ୍ତି। ପ୍ରତିଦିନ ଏହି ବଜାରରେ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ। ଏହି ସବୁ ଦୃଷ୍ଟିରୁ ବ୍ରାହ୍ମଣୀଗାଁ ବଜାରକୁ ସ୍ୱଚ୍ଛ, ନିର୍ମଳ ରଖିବା ନେଇଁ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲିକ ବ୍ରାହ୍ମଣୀଗାଁ ବଜାରର ବ୍ୟବସାୟ ଗୋଷ୍ଠିଙ୍କୁ ନେଇଁ ଗତ ୧୦ ତାରିଖ ବୁଧବାର ଦିନ ଡାକି ରାଜୀବ ଗାନ୍ଧୀ ସଭା ଗୃହରେ ଏକ ବୈଠକର ଆୟୋଜନ କରିଥିଲେ। ସେହି ବୈଠକର ନିଷ୍ପତି କ୍ରମେ ଗତକାଲି ସ୍ବେଛାସେବୀ ମାନଙ୍କ ସହଯୋଗରେ ବଜାରର ଉପର ମୁଣ୍ଡରୁ ତଳ ମୁଣ୍ଡ ଯାଏ ଅତି ଆବଶ୍ୟକ ଜାଗାରେ ଡ଼ଷ୍ଟବିନ ସ୍ଥାପନ କରି ଥିବା ଖବର ହସ୍ତ ଗତ ହୋଇଛି। ସରପଞ୍ଚଙ୍କ ଏହି ପଦକ୍ଷେପକୁ ଅଞ୍ଚଳ ବାସୀ ପ୍ରଶଂସା କରିଥିବା ପ୍ରକାଶ ପାଇଛି।