
ମାଲକାନଗିରି (୨।୯): ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବି.ଏସ.ଏଫ ୨ୟ ବାଟାଲିୟନ ପକ୍ଷରୁ ଆଜି ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଓ କୌଶଳ ପ୍ରଦର୍ଶନ କରାଯାଇଛି । ଏଥିରେ ବି.ଏସ.ଏଫ ଡି.ଆଇ.ଜି ଶୈଳେନ୍ଦ୍ର କୁମାର ସିହ୍ନା, ମାଲକାନଗିରି ଏସ.ପି ନିତେଶ ୱାଧୱାନୀ, ବି.ଏସ.ଏଫ କମାଣ୍ଡେନ୍ଟ ଆଇ.ଏଚ.ଖାନ, ଡେପୁଟି କମାଣ୍ଡେନ୍ଟ ଶୁଭଞ୍ଜନ ମହାପାତ୍ର, କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଇକ୍ରାର୍ ଅହମ୍ମଦ ଯୋଗ ଦେଇ ବି.ଏସ.ଏଫର ମହାନ ପରମ୍ପରା, ଅତୀତର ବୀରଗାଥା ସହ ସୀମାରେ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବା, ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ଓ ଲୋକଙ୍କୁ ସହାୟତା କିଭଳି କରୁଛନ୍ତି, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ମନରେ ଦେଶ ପ୍ରେମ ଭାବ ବୃଦ୍ଧି ପାଇବ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ । ଏହି ପ୍ରଦର୍ଶନୀ ଜରିଆରେ ଛାତ୍ରଛାତ୍ରୀଙ୍କୁ ବି.ଏସ.ଏଫ ବ୍ୟବହାର କରୁଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ କିଛି ତାଲିମ ପ୍ରାପ୍ତ କୁକୁର କିପରି ଯବାନ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି, ସେ ସମ୍ବନ୍ଧରେ ବିଭିନ୍ନ କୌଶଳ ପ୍ରଦର୍ଶିତ ହୋଇଥିଲା । ଏହି ତାଲିମ୍ ପ୍ରାପ୍ତ କୁକୁର ମାନେ ଲୁଚା ହୋଇଥିବା ବୋମାକୁ ଖୋଜିବା, ଜଣେ ବ୍ୟକ୍ତିର ବ୍ୟବହାର ସାମଗ୍ରୀ ମାଧ୍ୟମରେ ସେହି ବ୍ୟକ୍ତିଙ୍କୁ ଖୋଜିବା ଭଳି କୌଶଳ ପ୍ରଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ, ବରିଷ୍ଠ ପୋଲିସ ଅଧିକାରୀ ଓ ବି.ଏସ.ଏଫ ଅଧିକାରୀଙ୍କ ସହ ୪୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ରକ୍ରମ ଶିକ୍ଷକ ଦିବସ ଉପଲକ୍ଷେ ଶିକ୍ଷକଙ୍କୁ ପ୍ରତ୍ସାହିତ ଓ ସମ୍ମାନ ପ୍ରଦର୍ଶନ ପାଇଁ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କୁ ବି.ଏସ.ଏଫରେ ଯୋଗ ଦେବାକୁ ପ୍ରତ୍ସାହନ ପ୍ରଦାନ ପାଇଁ ଚେଷ୍ଟା କରାଯାଉଛି । ଏଥି ସହ ଛାତ୍ରଛାତ୍ରୀ ମାନେ ନିଶାଦ୍ରବ୍ୟ ସେବନରୁ ଦୂରେଇ ରହିବାକୁ ବି.ଏସ.ଏଫ ଡି.ଆଇ.ଜି ଶ୍ରୀ ସିହ୍ନା ପରାମର୍ଶ ଦେଇଛନ୍ତି ।