ଇକୋରିଟ୍ରିଟ ପ୍ରସ୍ତାବିତ ଜମିକୁ ଗ୍ରାମବାସୀଙ୍କ ବିରୋଧ

add-all

ଦାରିଙ୍ଗବାଡ଼ି (୯/୯) : ଇକୋ ରିଟ୍ରିଟ ପ୍ରସ୍ତାବିତ ଜମିକୁ ନେଇ ଦାରିଙ୍ଗବାଡ଼ି ସାରିଙ୍ଗଇର୍ପି ଗ୍ରାମବାସୀଙ୍କ ବିରୋଧ ।ଏହାକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ବାକ ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଛି। ଜୁନ ମାସ ୨୭ ତାରିଖ ଦିନ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିବ ସଚିନ ରାମଚନ୍ଦ୍ର ଯାଦବ ଆସି ହିଲଭିଯୁ ଛକ ନିକଟରେ ରହିଥିବା ସରକାରୀ ଜମିରେ ଇକୋ ରିଟ୍ରିଟ ହେବା ନେଇ ପ୍ରସ୍ତାବ ଦେବା ସହ ସେପ୍ଟେମ୍ବର ମାସରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ଏଥି ସହିତ ଜବର ଦଖଲ ଉଛେଦ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ । ହେଲେ ଉକ୍ତ ପ୍ରସ୍ତାବିତ ଜମିରେ ଗୁରୁବାର ଦିନ ଇକୋ ରିଟ୍ରିଟ ନିମନ୍ତେ କାର୍ଯ୍ୟ ଆରମ୍ଭ ହେବା ସମୟରେ ସାରିଙ୍ଗଇର୍ପି ଗ୍ରାମବାସୀ ବିରୋଧ କରିବା ସହ ପ୍ରଶାସନ ସହ ବାକ ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଥିଲା । ଏଭଳିକି ଉକ୍ତ ସ୍ଥାନରେ ଇକୋ ରିଟ୍ରିଟ ହେବା ନେଇ କୌଣସି ଗ୍ରାମସଭା ହୋଇନଥିବା ବେଳେ ପ୍ରଶାସନ କିଭଳି ଭାବେ ବେଆଇନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଗ୍ରାମବାସୀ ବିଡ଼ିଓ ଗଦାଧର ପାତ୍ରଙ୍କୁ ପ୍ରଶ୍ନ କରିବା ସହ କାର୍ଯ୍ୟକୁ ବନ୍ଦ କରିବା ପାଇଁ କହିଥିଲେ । ୨୦୦୯ ମସିହାରେ ସାରିଙ୍ଗଇର୍ପି ଅଂଚଳର ୧୦୦ ରୁ ଉର୍ଦ୍ଧ ଆଦିବାସୀ ସମ୍ପ୍ରଦାୟ ପରିବାର ନିମନ୍ତେ ଜଙ୍ଗଲ ଜମି ମପା ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜଙ୍ଗଲ ଜମି ପଟା ମିଳିନଥିବା ବେଳେ ଇକୋ ରିଟ୍ରିଟ ହେବା ଦ୍ୱାରା ପଲିଥିନ ଓ କାଚ ବୋତଲ ପଡି ପରିବେଶ ପ୍ରଦୂଷିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଣୁ ଜଙ୍ଗଲ ଜମି ପାଇଁ ମପା ଯାଇଥିବା ଜମି ଗୁଡିକର ପଟା ପ୍ରଦାନ କରାଗଲେ ହିଁ ଇକୋ ରିଟ୍ରିଟ କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମବାସୀ ପ୍ରଶାସନକୁ ରୋକଠୋକ ଜଣେଇଥିବା ବେଳେ ଜଙ୍ଗଲ ଜମି ପଟା ପ୍ରଦାନ ନକରାଗଲା ପର୍ଯ୍ୟନ୍ତ ପ୍ରସ୍ତାବିତ ଜମିରେ ଇକୋ ରିଟ୍ରିଟ କାର୍ଯ୍ୟକୁ ବିରୋଧ କରିବେ ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀଙ୍କ ପ୍ରବଳ ବିରୋଧ ପରେ ପ୍ରସ୍ତାବିତ ଜମିରେ ପ୍ରଶାସନ କାର୍ଯ୍ୟକୁ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟ ଆରମ୍ଭ ହେବା ସମୟରେ ଦାରିଙ୍ଗବାଡ଼ି ତହସିଲଦାର ଲଷ୍ମୀଧର ରାଉତ,ବିଡ଼ିଓ ଗଦାଧର ପାତ୍ର,ଥାନା ଅଧିକାରୀ କୌଶିକ ମାଝୀ,ଅତିରିକ୍ତ ତହସିଲଦାର ଭବେସ ମାଝୀ ସମେତ ପୋଲିସ ଫୋର୍ସ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସୂଚନା ପ୍ରକାରେ, ଇକୋ ରିଟ୍ରିଟ କାର୍ଯ୍ୟକ୍ରମର ପ୍ରଥମ ବର୍ଷରେ ଇକୋ ରିଟ୍ରିଟ ପ୍ରସ୍ତାବିତ ଜମିକୁ ନେଇ ସାରିଙ୍ଗଇର୍ପି ଗ୍ରାମବାସୀଙ୍କ ବିରୋଧ କରିବା ଫଳରେ ପର୍ଯ୍ୟଟନ ବିଭାଗ ଜମିରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉକ୍ତ ଜମିରେ ଦୁଇ ବର୍ଷ ହେବ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ହୋଇଆସୁଥିବା ବେଳେ ଏହି ବର୍ଷ ହିଲଭିଯୁ ଛକ ନିକଟ ସରକାରୀ ଜମିରେ ଇକୋ ରିଟ୍ରିଟ ହେବା ନେଇ ଜମି ଚିହ୍ନଟ ହୋଇଥିଲା ।

ad-week
Leave A Reply

Your email address will not be published.