
ବାଲିମେଳା(୨୬/୦୯) : ଶାରଦୀୟ ଉତ୍ସବର ଆୟୋଜନ ଅବସରରେ ପ୍ରତି ବର୍ଷ ଭଳି ଏଇ ବର୍ଷ ମଧ୍ୟ ଓଡ଼ିଆ ପଞ୍ଜିକା ମୁତାବକ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଅର୍ଥାତ୍ ଆଜିଠାରୁ ବାଲିମେଳା ନଗରରେ ଆରମ୍ଭ ହୋଇଛି ବହୁ ପ୍ରସିଦ୍ଧ ନବରାତ୍ରି ପୂଜା। ଦୀର୍ଘ ଦୁଇ ବର୍ଷ ଧରି କୋରୋନାର କରାଳ ପରିସ୍ଥିତି ଦେଇ ସାରା ବିଶ୍ବ ଗୋଟିଏ ପଟେ ଜୁଝି ହେଉଥିବା ବେଳେ ଚଳିତ ବର୍ଷ କୋରୋନା ଜନିତ କଟକଣା ସମ୍ପୂର୍ଣ୍ଣ କୋହୋଳ ହୋଇଥିବା ପରୀପ୍ରେକ୍ଷୀରେ ଜନ ସାଧାରଣ ସମ୍ପୂର୍ଣ୍ଣ ଉତ୍ସାହର ସହ ମାଆ ଦଶଭୁଜାଙ୍କୁ ସ୍ବାଗତ କରିବା ନିମନ୍ତେ ଆଗଭର ହୋଇଥିବା ଦେଖିବାକୁ ମିଳିଛି । ଆଜି ଦିବସର ପ୍ରଥମାର୍ଦ୍ଧରେ ବାଲିମେଳାର ସ୍ଥାନୀୟ ଲୋକଙ୍କ ସମେତ ଆଖ ପାଖ ୮ଗୋଟି ଗାଆଁ ଯଥା; ଏମ୍.ଭି.୨୭,ଏମ୍.ଭି.୨୮,ଏମ୍.ଭି.୫୦,ଏମ୍.ଭି.୫୧,ଏମ୍.ଭି.୫୨,ଏମ୍.ଭି.୧୦୪,ଏମ୍.ଭି.୧୦୮ ଓ ଏମ୍.ଭି.୧୦୯ ରୁ ଆପାତତଃ ୨୦୦ରୁ ଉର୍ଦ୍ଧ୍ବ ଶାକ୍ତ ଭକ୍ତ,ସପରିବାରେ ବାଲିମେଳା ପୂଜା ମଣ୍ଡପଠାରେ ଏକତ୍ରିତ ହୋଇ ସେଠାରୁ ନଗର ପରିକ୍ରମା ଜରିଆରେ ବଜାର ଶେଷରେ ଥିବା ନଦୀରୁ ମାଆଙ୍କ ଲାଗି ଜଳ ଆଣିଥିଲେ । ନଈ ପଠାରେ ପୂଜାର୍ଚ୍ଚନା ସମୟରେ ତଥା ଉକ୍ତ ସ୍ଥାନକୁ ଯିବା ପର୍ଯ୍ୟନ୍ତ ଶତାଧିକ ବେଙ୍ଗୋଲୀ ପୁରୁଷ ଓ ମହିଳା ଘଣ୍ଟ ତାଳେ ତାଳେ ମାଦଲ ବଜାଇ ମାଆଙ୍କ ସ୍ୱାଗତରେ ନିଜକୁ ସମ୍ପୂର୍ଣ୍ଣ ନିମଜ୍ଜିତ କରିଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଅପରାହ୍ନରେ ମାଆଙ୍କ ମୁଖ ଉନ୍ମୋଚନ ହୋଇ ଯଥା ବିଧିରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ଯଦିଓ ସନ୍ଧ୍ୟା ସମୟରେ ଆଂଶିକ ପାଗ ଖରାପ୍ କାରଣରୁ ବର୍ଷା ହୋଇଥିଲା ତା’ ସତ୍ତ୍ଵେ ମଧ୍ୟ ମାଆଙ୍କର ଏହି ମନୋରମ ଦୃଶ୍ୟ ତଥା ଧରାବତରଣ ରୂପ ଏବଂ ଏହି ମହିମା ମଣ୍ଡନର ଦୃଶ୍ୟକୁ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତରୁ ଶହ ଶହ ଭକ୍ତଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି । ତେବେ ଆୟୋଜକଙ୍କ କହିବା ମୁତାବକ ମାଆଙ୍କର ଏହି ପୂଜା ଆଜି ଠାରୁ ଆରମ୍ଭ ହୋଇ ଅଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ନଅ ଦିନ ଧରି ଜାରି ରହିବ । ଏହି ନଅ ଦିନରେ ପ୍ରତ୍ୟେକ ଦିନ ମାଆ ଦୁର୍ଗାଙ୍କ ନଅ ଗୋଟି ସ୍ୱରୂପ ଯଥାକ୍ରମେ; ୧- ଶୈଳପୁତ୍ରୀ,୨- ବ୍ରହ୍ମଚାରିଣୀ,୩- ଚନ୍ଦ୍ରଘଣ୍ଟା,୪- କୁଷ୍ମାଣ୍ଡା,୫- ସ୍କନ୍ଧମାତା,୬- କାତ୍ୟାୟନୀ,୭- କାଳରାତ୍ରୀ,୮- ମହାଗୌରୀ,୯- ସିଦ୍ଧିଦାତ୍ରୀ ଙ୍କୁ ଆରାଧନା କରାଯିବ ବୋଲି କମିଟି ସଭାପତି ନରସିଂହ ବେହେରା ପ୍ରତିକ୍ରିୟା ରଖିଛନ୍ତି।