
ହିଂଜିଳିକାଟୁ (୨୭ା୯) : ସହରାଂଚଳର ପ୍ରତ୍ୟେକ ନିର୍ବାଚିତ ୱାର୍ଡ଼ ସଭ୍ୟସଭ୍ୟାଙ୍କ ୱାର୍ଡ଼ ଗୁଡ଼ିକୁ ମଡ଼େଳ ୱାଁ ଭାବେ ଗଠନ କରିବାକୁ ୧୦ ପ୍ରସ୍ତାବ ପ୍ରଦାନ ଓ ସେଗୁଡ଼ିକର କାର୍ଯ୍ୟକାରିତା ନିମନ୍ତେ ଗୁରୁତ୍ୱାରୋପ କରାଯାଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ଗଂଜାମ ଜିଲା ହିଂଜିଳିକାଟୁ ମ୍ୟୁନିସପାଲଟି, ଚିକିଟି, ପୁରୁଷୋତମପୁର ଓ ଖଲିକୋଟ ଏନଏସିର ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଦିନିକିଆ ପ୍ରେରଣା କାର୍ଯ୍ୟକ୍ରମ ହିଂଜିଳିକାଟୁ ରୟାଲ ପ୍ୟାଲେସ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁନିସପାଲ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ଗଂଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲା ପରିଷଦ ସିଡ଼ିଓ ଭି କୀର୍ତୀ ଭାସନ, ଉପ ସଚିବ ତଥା ସୁଡ଼ା ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା, ଜାଗା ମିଶନର ଅତିରିକ୍ତ ନିର୍ଦ୍ଦେଶକ ସୌମିନ୍ଦ୍ର ରାଉତରାୟ ଓ ଜିଲା ଡ଼ୁଡ଼ା ପିଡ଼ି ସଚିଦାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରେରଣା କାର୍ଯ୍ୟକ୍ରମରେ ହିଂଜିଳିକାଟୁ ମ୍ୟୁନିସପାଲଟି ଅଧ୍ୟକ୍ଷ ସୁବାସ ପଲେଇ, ଚିକିଟି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ପୁରୁଷୋତମପୁର ଏନସସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଓ ଖଲିକୋଟ ଅଧ୍ୟକ୍ଷ ନିରଂଜନ ବେହେରାଙ୍କ ସମେତ ଉକ୍ତ ସହରାଂଚଳର ଉପାଧ୍ୟକ୍ଷ ଉପାଧ୍ୟକ୍ଷା ଓ କାଉନସିଲର ମାନେ ଏଥିରେ ଯୋଗ ଦେଇଥିଲେ । ହିଂଜିଳିକାଟୁ ପୌରାଂଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଂଜନ ସାହୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିଲେ । ସହରାଂଚଳର ସାମଗ୍ରିକ ଉନ୍ନତିରେ ଅଧ୍ୟକ୍ଷ ଓ କାଉନସିଲରଙ୍କ ଭୂମିକା ଏବଂ ଦାୟିତ୍ୱ ନିର୍ବାହନ ନେଇ ଗଂଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବୈଠକରେ ଗୁରୁତ୍ୱାରୋପ କରିଥିଲେ । ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସହରୀ ଶାସନ ଉପରେ ପୂର୍ବାବଲୋକନ ଉପରେ ଆଲୋଚନା କରିଥିଲେ । ଡ଼ୁଡ଼ା ପିଡ଼ି ସଚିଦାନନ୍ଦ ନାୟକ ନିର୍ବାଚିତ ପ୍ରତିନିଧିଙ୍କ ପରିଚୟ କରିଥିଲେ । ସହରୀ କାର୍ଯ୍ୟସୂଚୀ ଚଳାଇବାରେ ସମ୍ପ୍ରଦାୟର ଅଂଶଗ୍ରହଣ ଉପରେ କହିଥିଲେ ସୁଡ଼ା ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା କହିଥିଲେ । ପରିମଳ ଦଳ ଦ୍ୱାରା ପରିମଳ ପରିଚାଳନା ଉପରେ ଆଲୋଚନା ହୋଇଥିଲା । ପରେ ମ୍ୟୁନିସପାଲଟି ଅର୍ଥ , ଜାଗା ମିଶନ, ମୁକ୍ତା ଯୋଜନା , ଆହାର ପରିଚାଳନା, ଓଏସଡ଼ିଏମଏ ଦ୍ୱାରା ବିପର୍ଯ୍ୟୟ ପରିଚାଳନା, ସୋସିଆଲ ମିଡ଼ିଆ ଧାରା, ମଡ଼େଲ ୱାର୍ଡ଼ ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମକୁ ହିଂଜିଳିକାଟୁ ପୌରାଂଚଳର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏପରି କାର୍ଯ୍ୟକ୍ରମକୁ ବହୁ ନିର୍ବାଚିତ ପ୍ରତିନିଧି ପ୍ରଶଂସା କରିଥିଲେ ।