‘ଅର୍ପିତାଙ୍କୁ ଥାଇଲାଣ୍ଡ ବୁଲାଇନେବା ସହ ଭଉଣୀକୁ ସରକାରୀ ଚାକିରି ଦେଇଥିଲେ ପାର୍ଥ’ କିଛି ଏଭଳି କହିଲା ଇଡି

add-all

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା | ଆଉ ପାର୍ଥଙ୍କୁ ଜାମିନ ପ୍ରଦାନକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବିରୋଧ କରିଥିଲା। ଇଡି ଚାର୍ଜସିଟରେ କହିଛି ଯେ ପାର୍ଥ ଶିକ୍ଷା ମନ୍ତ୍ରୀ ଥିବାବେଳେ ତାଙ୍କର ଘନିଷ୍ଠ ଅର୍ପିତାଙ୍କ ଭଉଣୀକୁ ସରକାରୀ ଚାକିରି ଦେଇଛନ୍ତି। ଇଡି ଆହୁରି ମଧ୍ୟ କହିଛି ଯେ ପାର୍ଥ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ କମ୍ପାନୀ ଟେକ୍ସଟ୍ ଫାବ୍ ପିଭି ଲିମିଟେଡ୍ ର ଅଧିକାଂଶ ସେୟାର ଅର୍ପିତାଙ୍କ ନାମରେ କରିଦେଇଥିଲେ | ଉଭୟଙ୍କ ଜାମିନକୁ ବିରୋଧ କରି କୋର୍ଟରେ ୧୪,୬୪୩ ପୃଷ୍ଠାର ଦଲିଲ ଦାଖଲ କରାଯାଇଛି। ରିପୋର୍ଟ ଅନୁଯାୟୀ, ପାର୍ଥ ଅର୍ପିତାଙ୍କ ସପିଂ ବିଲ୍ ମଧ୍ୟ ଦେଉଥିଲେ। ଅନୁସନ୍ଧାନକାରୀ ଏଜେନ୍ସି ଆହୁରି ଦାବି କରିଛି ଯେ ଉଭୟ ଅର୍ପିତା ଏବଂ ପାର୍ଥ ଥାଇଲାଣ୍ଡର ଫୁକେଟକୁ ବୁଲିବାକୁ ଯାଇଥିଲେ।
କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି ପାର୍ଥ କହିଛନ୍ତି, ଯେ ‘ମୁଁ ଏକ ରାଜନୈତିକ ଷଡଯନ୍ତ୍ରରେ ଫସିଯାଇଛି | ମନ୍ତ୍ରୀ ହେବା ପୂର୍ବରୁ ମୁଁ ବିରୋଧୀ ଦଳର ନେତା ମଧ୍ୟ ଥିଲି। ଇଡି ମୋ ଘରେ ୨୪ ଘଣ୍ଟାରୁ ଅଧିକ ସମୟ ଛାନଭିନ କରିଥିଲେ ବି କିଛି ପାଇନଥିଲା | ମୋତେ ଜାମିନ ଦିଆଯିବା ଉଚିତ ଯାହା ଦ୍ୱାରା ମୁଁ ଶାନ୍ତିରେ ବଞ୍ଚିପାରିବି। ପାର୍ଥ ଆହୁରି କହିଛନ୍ତି, ‘ମୁଁ ଏପର୍ଯ୍ୟନ୍ତ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିଛି ଏବଂ ଏହା ଜାରି ରଖିବି। ମୁଁ ନିଜେ ଜଣେ ଆଇନ ଛାତ୍ର ଏବଂ ଛାତ୍ରବୃତ୍ତି ପାଇଛି | ମୁଁ କାହିଁକି ଦୁର୍ନୀତି କରିବି? ମୁଁ ଗୋଟିଏ ଟଙ୍କା ମଧ୍ୟ ଖାଇ ନାହିଁ। ‘
ଉଲ୍ଲେଖ ଥାଉ କି ଜୁଲାଇ ମାସରେ ଇଡି କୋଲକାତାର ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ପ୍ରାୟ ୫୦ କୋଟି ନଗଦ ଟଙ୍କା, ସୁନା ଏବଂ ଅଳଙ୍କାର ଜବତ କରିଥିଲା | ସେହିପରି ଚଳିତମାସ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ୪୮.୨୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା | ଏହି ପରିପ୍ରେକ୍ଷୀରେ, ଇଡି ଏପର୍ଯ୍ୟନ୍ତ ୧୦୩.୧୦ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିସାରିଛି |

ad-week
Leave A Reply

Your email address will not be published.