ରାସ୍ତାକଡ଼ରେ ପଡ଼ିଛି କୁଢ଼ କୁଢ଼ ଖାଦ୍ୟ ପଦାର୍ଥ : ମାଙ୍କଡ଼ ଦ୍ବାରା ହେଉଛି ଭକ୍ଷଣ, ପ୍ରଶାସନ ଅଜ୍ଞ

add-all

ବାଲିମେଳା/ଚିତ୍ରକୋଣ୍ଡା : ଆଜି ସକାଳୁ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଘାଟି ରାସ୍ତାରେ ଦେଖିବାକୁ ମିଳିଛି ସନ୍ଦେହ ଜନକ ଅବସ୍ଥାରେ କୁଢ଼ କୁଢ଼ ଖାଦ୍ୟ ପଦାର୍ଥ । କିଛି ଅଜଣା ବ୍ୟକ୍ତି ପେଟି ପେଟି ମୃଦୁ ପାନୀୟ, ଚକୋଲେଟ୍, ବିସ୍କେଟ୍ ଘାଟି ଅଞ୍ଚଳରେ ସ୍ଥାନେ ସ୍ଥାନେ ଇତସ୍ତତଃ କରି ପକାଇଥିବା ଦେଖିବାକୁ ମିଳିଥିଲା। ଯଦିଓ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଏହି ଏକ ମାତ୍ର ରାସ୍ତାରେ ଏହା ପ୍ରଥମ ଘଟଣା ନଥିଲା କିନ୍ତୁ ଆଜିକାର ଘଟଣା ନିଶ୍ଚିତ ଭାବେ ଅନେକ ସନ୍ଦେହ ସୃଷ୍ଟି କଲା ଭଳି ଥିଲା । ପ୍ରାୟ ୫ରୁ ଅଧିକ ସ୍ଥାନରେ ଇତସ୍ତତଃ ଭାବେ ଏହି ଖାଦ୍ୟ ପଦାର୍ଥ ଗୁଡ଼ିକ ପଡ଼ିଥିବା ଘଟଣାକୁ ନେଇ ଆସୁଥିବା ସନ୍ଦେହକୁ ଅଧିକ ଭାବେ ଦୃଢୀଭୂତ କରିଥିଲା । ଖାଦ୍ୟ ପଦାର୍ଥ ଏଭଳି ପଡ଼ିବାର ଗୋଟିଏ ସକରାତ୍ମକ ଦିଗ ଯେପରି କି ବନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ପ୍ରଦାନ ଯଦ୍ୟପି ହୋଇଥାଇ ପାରେ କିନ୍ତୁ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦୁଇଟି ନକାରାତ୍ମକ ଦିଗ ଯଥା; ହୁଏତ ଖାଦ୍ୟ ପଦାର୍ଥ ଗୁଡ଼ିକର ଖଦ୍ୟୋପଯୋଗୀ ବୈଧତା ସମାପ୍ତି କାରଣରୁ ସେଗୁଡିକ ଏଭଳି ଫୋପଡ଼ା ଯାଇ ଥାଇପାରେ କିମ୍ବା କୌଣସି ଖଳ ପ୍ରକୃତିର ଲୋକ ବନ୍ୟଜନ୍ତୁଙ୍କ ଶୀକାର କରିବା ପାଇଁ ସେଥିରେ କୌଣସି ବିଷାକ୍ତ ଦ୍ରବ୍ୟ ଯେ ମିଶାଇ ନଥିବ ତାହାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ନକାରାତ୍ମକ ଦିଗ ଯାହା କିଛି ମଧ୍ୟ ହେଉ , ଉଭୟ କ୍ଷେତ୍ରରେ କିନ୍ତୁ ବନ୍ୟ ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିବ ଏଥିରେ ତିଳେ ହେଁ ସନ୍ଦେହ ନାହିଁ ।
ପ୍ରକାଶ ଥାଉକି ବିଗତ ଦିନ ମାନଙ୍କରେ ଉକ୍ତ ରାସ୍ତାରେ ଅନେକ ମାଙ୍କଡ଼ ରାସ୍ତା ଉପରେ ବେପରୁଆ ଢ଼ଙ୍ଗରେ ଖାଦ୍ୟ ପକାଉ ଥିବା ବ୍ୟକ୍ତିଙ୍କ କାରଣରୁ ଅନେକ ଦୁର୍ଘଟଣା ସଂଘଟିତ ହୋଇଥିବା ଦିଗକୁ ଦୃଷ୍ଟିରେ ରଖି ବନ ବିଭାଗ ତରଫରୁ ଏଥିରେ ରୋକ୍ ଲଗାଇବା ନିମନ୍ତେ ଜଙ୍ଗଲର ସ୍ଥାନେ ସ୍ଥାନେ ବନ୍ୟ ଜନ୍ତୁଙ୍କୁ ଖାଦ୍ୟ ପଦାର୍ଥ ବେପରୁଆ ଢ଼ଙ୍ଗରେ ନ ଦେବା ପାଇଁ ବୋର୍ଡ଼ ମଧ୍ୟ ଲାଗିଛି । କିନ୍ତୁ ତାହା କେବଳ ଲେଖାରେ ସୀମିତ ରହିଛି ଯାହା ଆଜିର ଘଟଣାରୁ ଜଳ ଜଳ କରି ସ୍ପଷ୍ଟ ବାରି ହେଉଛି ।
ଏଭଳି ଏକ ସମ୍ବେଦନଶୀଳ ଘଟଣା ପୂର୍ବାହ୍ନରେ ପ୍ରଥମେ ନିସର୍ତ୍ତ ଗଣମାଧ୍ୟମର ପ୍ରତିନିଧିଙ୍କ ଦ୍ଵାରା ବନ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବନ ବିଭାଗ ତରଫରୁ ଏକ ଟିମ୍ ସମ୍ପୂର୍ଣ୍ଣ ଇଲାକାରେ ପେଟ୍ରୋଲିଂ କରି ଉକ୍ତ ଖାଦ୍ୟ ପଦାର୍ଥ ଗୁଡ଼ିକ ସଫଳତାର ସହ ସଂଗ୍ରହ କରି ନେଇଛି । ଉଭୟ ଚିତ୍ରକୋଣ୍ଡା ଏବଂ ବାଲିମେଳା ବନ ବିଭାଗ ତରଫରୁ ମିଳିଥିବା ତଥ୍ୟ ମୁତାବକ କିଛି ମାତ୍ରାରେ ଖାଦ୍ୟ ପଦାର୍ଥ ଉକ୍ତ ସ୍ଥାନରେ ହିଁ ପୋଡ଼ି ନଷ୍ଟ କରି ଦିଆଯାଇଥିବା ବେଳେ ଆଉ କିଛି ଖାଦ୍ୟ ପଦାର୍ଥ ଗୁଡ଼ିକ ଉପଯୁକ୍ତ ସ୍ଥାନରେ ପକାଇଦେବା ପାଇଁ ବାଲିମେଳା ବନବିଭାଗ ସଂଗ୍ରହ କରି ନେଇ ଆସିଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅର୍ଥାତ୍ ଖାଦ୍ୟ ପଦାର୍ଥ ଗୁଡ଼ିକର ମାନ ଜାନ୍ଚ ନକରି କୌଣସି ପରୀକ୍ଷା ନିରୀକ୍ଷା ନକରି ବନବିଭାଗର ଏଭଳି ତରବରିଆ କାର୍ଯ୍ୟପନ୍ଥା ଅନେକ ସମ୍ଭାବନା ତଥା ଦିଗ ଗୁଡ଼ିକ ଉପରେ ଏକ ପ୍ରକାର ପରଦା ଢାଙ୍କି ଦେଇଛି । ତଥାପି ଅବଶିଷ୍ଟ ଖାଦ୍ୟ ପଦାର୍ଥର ଉପଯୁକ୍ତ ପରୀକ୍ଷଣ କରିବା ପରେ ଉକ୍ତ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା କ୍ଷେତ୍ରରେ ବନ ବିଭାଗର ଏକ ବିଶେଷ ଭୂମିକା ରହୁଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

ad-week
Leave A Reply

Your email address will not be published.