
ବ୍ରହ୍ମପୁର : ମୃତ୍ୟୁକୁ ଉପହାସ କରି ଗୁଳିବିଦ୍ଧ ହୋଇ ଦେଶ ପାଇଁ ଶହୀଦ ହୋଇଥିବା ବାଜିରାଉତ ଓ ତାଙ୍କ ଅନ୍ୟ ଛଅ ଜଣ ସାଥି ଙ୍କ ସ୍ମୃତିରେ ଆଜି ବିଜିପୁର କମ୍ୟୁନିଟି ହଲ ଠାରେ ପୂଜ୍ୟପୂଜା ସମିତି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ମାତ୍ର 12ବର୍ଷ ବୟସରେ ବାଜିରାଉତ ଏ ସମାଜ ଓ ଦେଶର ମୁକ୍ତି ପାଇଁ ନିଜ ଜୀବନକୁ ଉଚ୍ଛର୍ଗ କରିଦେଇଗଲେ l ଇଂରେଜ ସରକାର ଗଡ଼ଜାତୀୟ ରାଜା ମାନଙ୍କ ସହାୟତାରେ ଖଜଣା ଆଦାୟ କରୁଥିଲେ l ବ୍ରିଟିଶ ଶାସନକୁ ରକ୍ଷା କରୁଥିବା ଏହି ଗଡଜାତ ରାଜ୍ୟ ଗୁଡିକରେ ନିରୀହ ଜନତାଙ୍କ ଉପରେ ରାଜା ଜମିଦାର ମାନଙ୍କର ନିର୍ମମ ନିଷ୍ଠୁର ଅତ୍ୟାଚାର ବିରୁଦ୍ଧରେ ଢେଙ୍କାନାଳର ଗାଁ ଗାଁ ରେ ପ୍ରଜାମଣ୍ଡଳ ଗଠନ ହେଲା l ପ୍ରଜାମଣ୍ଡଳ ର ନିଷ୍ପତ୍ତି ଅନୁଯାୟୀ ବ୍ରିଟିଶ ପୋଲିସକୁ ବ୍ରାହ୍ମଣୀଘାଟ ପାରି କରାଯିବନାହିଁ l ଘାଟ ଜଗିବାର ଦାୟିତ୍ୱରେ ଥିଲେ ବାଜିରାଉତ ଓ ତାଙ୍କ ଛଅ ଜଣ ବନ୍ଧୁଙ୍କ ର l ଅତ୍ୟାଚାରୀ ବ୍ରିଟିଶ ଯେଉଁମାନେ ଆମ ଦେଶର ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି, ସେମାନଙ୍କୁ କୌଣସି ପ୍ରକାରେ ଘାଟ ପାରିକରାଇ ଦେବି ନାହିଁ l ଏହି ପ୍ରତିଜ୍ଞାରେ ଅଟଳ ରହି 12ବର୍ଷର ବାଜିରାଉତ ମୃତ୍ୟୁକୁ ବେଖାତିର କରି ଜନ୍ମଭୂମି ପାଇଁ ବ୍ରିଟିଶ ଗୁଳି ଆଗରେ ଛାତିକୁ ପତାଇ ଦେଇ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସେ ଏକ ପ୍ରେରଣାର ଉଚ୍ଛ ହୋଇଗଲେ l ଆଜି ସାମ୍ପ୍ରତିକ ପରିସ୍ଥିତିରେ ବ୍ରିଟିଶ ନାହିଁ କି ରାଜତନ୍ତ୍ର ନାହିଁ, ତଥାପି ଶୋଷଣ, ଜୁଲୁମ ଓ ଅତ୍ୟାଚାରର ଶାସନ ରହିଛି l ଏହା ବିରୁଦ୍ଧରେ ବାଜିରାଉତଙ୍କ ଭଳି ଆପୋଷହୀନ ଯୋଦ୍ଧାଙ୍କ ସଂଗ୍ରାମ ନିଶ୍ଚିତ ଭାବେ ଏକ ଜ୍ୱଳନ୍ତ ପ୍ରେରଣା ହେବ l ଆଜିର ଏହି ସଭାରେ ସମିତି ସଭାପତି ବଂଶୀଧର ଭୂୟାଁ ଅଧ୍ୟକ୍ଷତା କରିଥିବାବେଳେ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଗୁଣି ନାହାକ, ଆର. ସତ୍ୟ ନାରାୟଣ ରାଓ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗୌରୀ ଶଙ୍କର ମହାନ୍ତି, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରି ବାଜିରାଉତଙ୍କ ଉଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l