ମାଳିପଦର ପୋଲିସ ଏନକାଉଣ୍ଟର ଘଟଣା, ମିଳିଲା ଅଉ ଜଣେ ମୃତକଙ୍କ ପରିଚୟ

add-all

ଜୟପୁର, ୧୩/୧୧: କୋରାପୁଟ ବୈପାରୀଗୁଡା ମାଳିପଦର ପୋଲିସ ଏନକାଉଣ୍ଟରରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଆଉ ଜଣେ ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟକୁମାର ନାଗ। ୧୦ଦିନ ହେଲା ସେ କାମଧନ୍ଦା ପାଇଁ ଘରୁ ଚାଲିଯାଇଥିଲେ। ତେବେ ଏନକାଉଣ୍ଟର ସଂପର୍କରେ ଜାଣିବା ପରେ ଆଜି ଜୟପୁର ଏସଡିପିଓଙ୍କ କାର୍ଯ୍ୟଳୟକୁ ତାଙ୍କ ଭାଈ ଓ ଗ୍ରାମବାସୀ ଆସିଥିଲେ। ପୋଲିସ ଠାରୁ ଫଟୋ ଦେଖି ନିଜ ଭାଇଙ୍କୁ ଚିହ୍ନଟ କରିବା ପରେ ପୋଲିସ ମୃତକଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ମୃତ ଜୟ କୁମାର ଗଂଜେଇ ଚାଲାଣ କରି ପୂର୍ବରୁ ବି ଜେଲ ଯାଇଥିଲେ। ଏବେ ସେ କିପରି ମାଓବାଦୀ ହେଲେ ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି।ସେମାନଙ୍କ ଗାଁ ଲୋକ ହୁଅନ୍ତୁ କି ମୃତ ଜୟକୁମାର ସେମାନଙ୍କର ନକ୍ସଲ ସହ କୌଣସି ସଂପର୍କ ନାହିଁ। ପୋଲିସ ନିଜ ଦୋଷ ଲୁଚାଇବାକୁ ତାଙ୍କ ଭାଇକୁ ନକ୍ସଲ ଭାବେ ଦର୍ଶାଉଥିବା କହିଛନ୍ତି ମୃତକଙ୍କ ଭାଇ ଓ ଗ୍ରାମବାସୀ। ଗତକାଲି ଅନ୍ୟ ଜଣେ ମୃତକ ମାଲକାନଗିରି ଜିଲ୍ଲା ସରଗିଗୁଡା ଗାଁର ଧନ କମାରଙ୍କୁ ଚିହ୍ନଟ କରିଥିଲେ ପରିବାର ଲୋକ। ନିରୀହ ଲୋକଙ୍କୁ ନକ୍ସଲ ସଜାଇ ପୋଲିସ ଏନକାଉଣ୍ଟର କରି ମାରିଥିବା ଅଭିଯୋଗ କରିଛନ୍ତି ଉଭୟ ଗ୍ରାମର ଗ୍ରାମବାସୀ ଓ ପରିବାର ଲୋକ।

ad-week
Leave A Reply

Your email address will not be published.