
ଦାରିଙ୍ଗବାଡ଼ି,୨୦/୧୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆଜି କଂଗ୍ରେସ ପକ୍ଷରୁ ଗ୍ରାମଯାତ୍ରା ସହ ୬ଦଫା ଦାବି ନେଇ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ପଦଯାତ୍ରା ଦାରିଙ୍ଗବାଡ଼ି ସ୍ଥିତ ଡବେରୀ ଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରି ବ୍ଳକ ଅଫିସରେ ପହଞ୍ଚିଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ବିଡିଓ ଗଦାଧର ପାତ୍ରଙ୍କୁ ଜିଲ୍ଲାର ଗରିବ ଆଦିବାସୀ ଓ ଦଳିତ ଲୋକଙ୍କ ମୌଳିକ ସମସ୍ୟା ତଥା ୬ଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡ଼ିକ ହେଲା ଘୁ.ଉଦୟଗିରୀ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସଂପୂର୍ଣ୍ଣ କାର୍ଯ୍ୟକ୍ରମ କରାଯାଉ, ବ୍ରାହ୍ମଣୀ ଗାଁ ଓ ଗୋଛାପଡ଼ା ବ୍ଲକ ଗଠନ କରାଯାଉ, ଆଦିବାସୀ ଦଳିତ ଓ ଗରୀବଙ୍କ ଅନ୍ନଦାତ୍ରୀ ଟିକାବାଲି ମାଲବାଣିଜ୍ୟ ସମବାୟ ସମିତି (ଏଏମସିଏସ) ଷୋସାଇଟିର ପୁନଃରୁଦ୍ଧାର ପାଇଁ ୧୦୦ କୋଟି ଦିଆଯାଉ, କନ୍ଧମାଳକୁ ପର୍ଯ୍ୟଟନ ଜିଲ୍ଲା ଭାବେ ଘୋଷଣା କରାଯାଉ, ଜିଲ୍ଲାର ପ୍ରତ୍ୟେକ ବ୍ଲକରେ କୃଷି ଭିଭିକ ଶିଳ୍ପ ପ୍ରତିଷ୍ଠା କରାଯାଉ, ଦାରିଙ୍ଗବାଡ଼ି ଓ ଘୁ.ଉଦୟଗିରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୦ ଶଯ୍ୟା ବିଶିଷ୍ଟ କରିବା ସହ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରକୁ ମହିଳା ଓ ଶିଶୁ ବିଶେଷଜ୍ଞ ନିଯୁକ୍ତି ଦିଆଯାଉ। ଏହି ପଦଯାତ୍ରା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଜିଲ୍ଲା ସଂଯୋଜକ ପ୍ରତାପ କୁମାର ପ୍ରଧାନଙ୍କ ସହିତ କନ୍ଧମାଳ ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକ ଯୋଗଦେଇ ଥିଲେ । କଂଗ୍ରେସ ବ୍ଳକ ସଭାପତି ପ୍ରଦୀପ ନାୟକ, ମହିଳା ନେତ୍ରୀ ବିଳାସିନୀ ନାୟକ, ପୂର୍ବତନ ବ୍ଳକ ସଭାପତି କାଳିପ୍ରସାଦ ମଲିକ, ଜୋତିରାଜ ଲିମା, ଅମୂଲ୍ୟ ନାୟକ, ସାପ୍ନେଶ୍ୱର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପାରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ମିଶ୍ରଣ ପର୍ଵ କରି ବିଜେଡି ଓ ବିଜେପିର ପାଞ୍ଚ ଜଣ କର୍ମୀଙ୍କୁ କଂଗ୍ରେସରେ ସାମିଲ କରିଥିଲେ ।