
ଫୁଲବାଣୀ : ଆଜି ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଡସ ଦିବସ ପାଳିତ ହୋଇଯାଇଛି l ସକାଳ ପ୍ରାୟ ୯ ଟା ସମୟରେ ସ୍ଵାସ୍ଥ୍ୟ ତାଲିମ ଛାତ୍ରୀ ମାନେ, ସ୍କାଉଟ୍ ଗାଇଡ, ଜୁନିଅର ରେଡକ୍ରସ, ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ, ଟ୍ରାନ୍ସ ଜେଣ୍ଡର କମିଟି ଓ ସ୍ଵେଚ୍ଛାସେବୀ ସଂଗଠନ ସ୍ଵାତିର ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ ରାଲିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ରାଲିକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ମନୋଜ କୁମାର ଉପାଧ୍ୟାୟ ଉଦ୍ଘାଟନ କରିଥିଲେ l
ତତପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ବିଶ୍ଵ ଏଡ୍ସ ଦିବସ-୨୦୨୨ ପାଳିତ ଅବସରରେ ଜିଲ୍ଲା ଏଡସ ନୋଡାଲ ଅଫିସର ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ମନୋଜ କୁମାର ଉପାଧ୍ୟାୟ ଯୋଗ ଦେଇ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରୁଥିବା ଅନ୍ୟତମ ମହାମାରୀ ହେଉଛି ଏଡ୍ସ ସଂକ୍ରମଣ । ଏହି ରୋଗରେ ଅତୀତରେ ବହୁ ଲୋକ ମୃତ୍ୟୁବରଣ କରିଛନ୍ତି । ମାତ୍ର ଏବେ ସେହିଭଳି ପରିସ୍ଥିତି ଆଉ ପ୍ରାୟ ନାହିଁ । ଲୋକମାନେ ସଚେତନ ହେଲେଣି। ତଥାପି ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆହୁରି ସଚେତନତା ଆବଶ୍ୟକ । ୧୯୮୮ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହସ୍ତକ୍ଷେପ ଫଳରେ ବିଶ୍ବରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇ ଆସୁଛି । ଏଡ୍ସ ରୋଗୀମାନଙ୍କୁ ନିଜର ପରିବାରର ଲୋକମାନେ ଅନ୍ୟ ସଦସ୍ୟମାନଙ୍କ ଭଳି ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ଡାକ୍ତର ଉପାଧ୍ୟାୟ କହିଥିଲେ ।
ସେହିଭଳି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରସନ୍ନ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାରେ ୨୫୫ ଜଣ ଏଡ୍ସ ରୋଗୀ ଥିଲେଏବଂ ସେମାନଙ୍କ ମଧ୍ୟରୁ ୨୧୯ ଜଣ ଜୀବିତ ଓ ୩୬ ଜଣ ମୃତ ବୋଲି କହିଥିଲେ । ଏହାକୁ ରୋକିବା ଦିଗରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ । ସେଭଳି କିଛି ଲକ୍ଷଣ ଦେଖାଦେଲେ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଥିଲେ ।ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଯୋଗ ଦେଇ ନିଜେ ନିଜର ସୁରକ୍ଷା କବଚ ହେବା ପାଇଁ କହିଥିଲେ। ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ମାଧ୍ୟମରେ ସଚେତନ କରାଯାଉଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ଅନ୍ୟତମ ଅତିଥି ମାନେ ଏଡସ ସଂକ୍ରମିତ ମାନଙ୍କୁ ମଧୁବାବୁ ପେନସନ ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଅଛି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରେ ଏଚଆଇଭି ପରୀକ୍ଷାର ସୁବିଧା ରହିଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜିଲ୍ଲା ନୋଡାଲ ଅଫିସର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ରାଜ୍ଯ ଏଡସ ନିୟନ୍ତ୍ରଣ ସମିତିର ସମର୍ଥନରେ ଏଡସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରାଜ୍ଯ ସ୍ତରରେ ପ୍ରସଂଶାର ପାତ୍ର ହୋଇଛି ବୋଲି ଅତିଥି ବକ୍ତବ୍ୟ ରଖିଥିଲେ l ଉକ୍ତ
କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ କଲ୍ୟାଣୀ ମିଶ୍ର,ଏ ଡି ପି ଏଚ ସି ଓ ଶ୍ରୀ ଧର୍ମେନ୍ଦ୍ର ତାଣ୍ଡି ଏବଂ ସ୍ଵାତି ସଂଗଠନର ଇଂ ହରିଶଙ୍କର ରାଉତଙ୍କ ସମେତ ଏ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ, ଆଶା, ଗାଁ କଲ୍ୟାଣ ସମିତି ସଦସ୍ୟା, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମରେ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।ଜିଲ୍ଲା ଏଡସ ସୁପରଭାଇଜର ଦେବାଶିଷ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏଡସ ପରାମର୍ଶ ଦାତା ଗୋବିନ୍ଦ ଚନ୍ଦ୍ର ଜେନା ସହଯୋଗ କରିଥିବା ବେଳେ ଧର୍ମେନ୍ଦ୍ର କୁମାର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।