
ବ୍ରହ୍ମପୁର(୦୪/୧୨) : ଆଜି ବିଶ୍ଵ ବନ୍ୟ ପ୍ରାଣୀ ସଂରକ୍ଷଣ ଦିବସ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହୁରୀ କାଳୁଆ ପୀଠରେ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ “ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ପ୍ରଦୂଷଣ ମୁକ୍ତ କରିବା ସହ ବନ୍ୟ ପ୍ରାଣୀ ମାନଙ୍କ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଗଲାଣି, ପର୍ଯ୍ୟଟକମାନେ ପର୍ଯ୍ୟଟନ ସ୍ଥଳୀ ମୁହାଁ l ପ୍ରକୃତିକୁ ଉପଭୋଗ କରିବା ବେଳେ ଗଲାବେଳେ ବିଭିନ୍ନ ଆବର୍ଜନା ଏଣେ ତେଣେ ପକାଇ ପରିବେଶକୁ ନଷ୍ଟ କରିଦିଅନ୍ତି। ଯାହାଦ୍ୱାରା ଅନ୍ୟ ପର୍ଯ୍ୟଟକ ଉକ୍ତ ପରିବେଶକୁ ଆସିବା ପାଇଁ ଆଗ୍ରହ ଦେଖାନ୍ତି ନାହିଁ ଏବଂ ରାତିରେ ବନ୍ୟ ପ୍ରାଣୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବ୍ରହ୍ମପୁର ସବୁଜ ବାହିନୀ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଥିବା ସ୍ଥାନୀୟ ପରିଚାଳନା କମିଟି ସହ ମିଶି ସଫେଇ କାର୍ଯ୍ୟକ୍ରମ କରିବା ,ବର୍ଜ୍ୟବସ୍ତୁ ମାନଙ୍କରେ ନିଆଁ ନ ଲଗେଇ କିଭଳି ତାକୁ ଜୈବିକ ପଦ୍ଧତିରେ ପୁନଃ କାମରେ ବ୍ୟବହାର କରି ହେବ ଏବଂ ପର୍ଯ୍ୟଟକଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରାଇବା ପାଇଁ ଏହିଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି lଯାହାଦ୍ୱାରା ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ପର୍ଯ୍ୟଟକଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିପାରିବ ଏବଂ ବିଶ୍ୱ ଦରବାରରେ ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଵନ୍ୟ ପ୍ରାଣୀ ମାନଙ୍କ ଜୀବନ ସୁରକ୍ଷା ହେବ। ଏହି ବାର୍ତ୍ତାକୁ ଯେଉଁଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଙ୍କ ସହ ମିଶି ସ୍ୱଚ୍ଛତା ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁକୁଡାଖଣ୍ଡି ତହସିଲଦାର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ର ଦେବୀ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ଏବଂ ସ୍ଥାନୀୟ ସମିତି ସଭ୍ୟା ନିରୂପମା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକୃତି ସୁରକ୍ଷା ଆମ ଦାୟିତ୍ୱ, ନିଜ ଘରୁ ତଥା ନିଜ ଦୈନଦିନ ପରିବର୍ତ୍ତନରୁ ପ୍ରକୃତି ସୁରକ୍ଷା ହେଉ ବୋଲି ତହସିଲଦାର ନିଜ ବକ୍ତବ୍ୟ ରେ ଆହ୍ୱାନ ଦେଇଥିଲେ l ଅତିଥି, ସ୍ବେଛାସେବୀ ଓ ଛାତ୍ରଛାତ୍ରୀ ମିଶି ସ୍ଥାନୀୟ ବ୍ୟବସାୟ ପ୍ରତିଷ୍ଠାନ ଓ ପର୍ଯ୍ୟଟକ ମାନଙ୍କୁ ଆଜିର ମହତ ଉଦ୍ଦେଶ୍ୟ ବିଷୟରେ ସଚେତନତା କରିଥିଲେ lଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ କଳିଙ୍ଗ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ,ଆଞ୍ଚଳିକ ବିକାଶ ପରିଷଦର ସ୍ବେଛାସେବୀ ଏବଂ ବ୍ରହ୍ମପୁର ଫିଜିକାଲ ଏକାଡେମୀର ଛାତ୍ର ସମୂହ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସାଗର କୁମାର ପାତ୍ର, ବନମାଳୀ ପ୍ରଧାନ, କିଶୋର ଚନ୍ଦ୍ର ପାତ୍ର ଏବଂ ସଂଗଠନର ଅନ୍ୟାନ୍ୟ ସଦସ୍ୟ ପରିଚାଳନା କରିଥିଲେ l